ଭଦ୍ରକ: ଭଦ୍ରକ ସହର ଅପର୍ତ୍ତିବିନ୍ଧା ଛକ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖା ଆଗରୁ ଦିନ ଦ୍ୱିପ୍ରହରରେ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଲୁଟ୍ ଘଟଣାରେ ପୁଲିସକୁ ମିଳିଛି ସଫଳତା। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତା’ଠାରୁ ୯ ଲକ୍ଷ ଟଙ୍କା ଜବତ କରିଛି ଭଦ୍ରକ ଟାଉନ୍ ଥାନା ପୁଲିସ।
ଗତ ୯ ତାରିଖରେ ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ୍ବ୍ୟାଙ୍କ ମୁଖ୍ୟ ଶାଖାରୁ ୧୨ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଶ୍ରୀ ଖିଲାରଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଝାମ୍ପି ନେଇ ଦ୍ରୁତଗତିରେ ପଳାଇଥିଲେ। ଏ ସଂକ୍ରାନ୍ତରେ ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ତଦନ୍ତ ଚାଲୁ ରଖିଥିଲା। ଗତକାଲି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପକାଲପଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଏମ୍ ଶ୍ରୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଲୁଟ୍ ୧୨ ଲକ୍ଷ ଟଙ୍କା ମଧ୍ୟରୁ ଅଭିଯୁକ୍ତ ପାଖରୁ ୯ ଲକ୍ଷ ଜବତ ହୋଇଛି। ଏହି ଟଙ୍କାକୁ ଶିକ୍ଷକ ଶ୍ରୀ ଖିଲାରଙ୍କୁ ପୁଲିସ ଫେରାଇ ଦେଇଛି। ଆଜି ଭଦ୍ରକ ଏସ୍ପି ଚରଣ ସିଂ ମୀନା ଟାଉନ୍ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତାର ସହଯୋଗୀକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଛି। ଏଣିକି ସହରରେ ଅପରାଧିକ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ଉପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ନଜର ରଖିଛି ବୋଲି ଏସ୍ପି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/36-13.jpg)