ଓଡ଼ିଶାରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି : ମନ୍ତ୍ରୀ

ଭୁବନେଶ୍ବର: ବିରୋଧୀଙ୍କ ବିରୋଧ ହେତୁ ଗୃହକାର୍ଯ୍ୟ ବାରମ୍ବାର ମୁଲତବୀ ହେଉଥିବା ମଧ୍ୟରେ ବିଜେପି ବିଧାୟକ ନାଉରୀ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ରାଜ୍ୟରେ କେତେ ପରିବାର କଚ୍ଚ‌ା ଘରେ ରହୁଛନ୍ତି, କେତେ ଭୂମିହୀନ ପରିବାର ରହିଛନ୍ତି, କେତେ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି ସେ ବିଷୟ‌ରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ନାଉରୀ ନାୟକ।

ଲିଖିତ ଆକାରରେ ଏହାର ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଥିବା ବେଳେ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି। ଏହା ସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ରାଜକୋଷରୁ ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ପିଏମଏୱାଇ(ଜି)-ବିପିଜିୱାଇ ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା। ଏହି ମଞ୍ଜୁର ଅର୍ଥରୁ ପିଏମଏୱାଇ(ଜି) ଓ ବିପିଜିୱାଇ ଗୃହନିର୍ମାଣ ସହିତ ଗୃହ ମରାମତି କାମ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ବିପିଜିୱାଇ ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତନ୍ମଧ୍ୟରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର