ବାଲିଅନ୍ତା ବଜାର: ଜଣେ ଜମି କ୍ରେତାଙ୍କୁ ବିଭିନ୍ନ ବାହାନାରେ ଠକେଇ କରିବା ଅଭିଯୋଗରେ ଆଜି ପାହାଳ ଥାନା ପୁଲିସ ୩ ଦଲାଲଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜକିଶୋର ସାହୁ (୫୭), ବଗୁଲି ବେହେରା(୫୦) ଓ ଅନିଲ ଦଳେଇ। ପୁଲିସ ସୂଚନାନୁସାରେ ଏୟାରପୋର୍ଟ ଥାନା ଭୀମପୁର ଅଞ୍ଚଳର ସସ୍ମିତ ବିଶ୍ବାଳ ପାହଳ ଥାନା ଆମଣ ମୌଜାରେ ଏକ ଜମି କିଣିବାକୁ ଉପରୋକ୍ତ ୩ ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ। ପସନ୍ଦ ଜମି ପାଇଁ ତାଙ୍କୁ ୧୮ ଲକ୍ଷ ୩୮ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ୩ ଦଲାଲ କହିଥିଲେ ଏବଂ ସସ୍ମିତ ରାଜି ହୋଇ ଅଗ୍ରିମ ଆକାରରେ ୧୨ ଲକ୍ଷ ଟଙ୍କା ଗଣିଦେଇଥିଲେ। ବାକି ଟଙ୍କ ଜମି ରେଜିଷ୍ଟ୍ରି ହେବା ସମୟରେ ଦିଆନିଆ ହେବ ବୋଲି କଥା ଛିଡ଼ିଥିଲା। ତେବେ ଅଗ୍ରିମ ପଇଠ ପରେ ଜମିକୁ ରାସ୍ତା ନଥିବା ଜଣାପଡ଼ିଥିଲା।
ଦଲାଲମାନେ ଯାହାକୁ ରାସ୍ତା ବୋଲି ଦର୍ଶାଇଥିଲେ, ପରେ ତାହା ଜଣଙ୍କ ବ୍ୟକ୍ତିଗତ ଜମି ବୋଲି କହିଥିଲେ ଏବଂ ଏଥିପାଇଁ ସସ୍ମିତଙ୍କଠାରୁ ଆଉ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ଦଲାଲମାନଙ୍କ ଏଭଳି ଭାଣ୍ଡାମି ଦେଖି ସସ୍ମିତ ଉକ୍ତ ରାସ୍ତା ବାବଦରେ ନିଜେ ବୁଝିଥିଲେ ଏବଂ ତାହା ସରକାରୀ ଜମି ବୋଲି ଜାଣିବାକୁ ପାଇଥିଲେ। ତେଣୁ ସେ ଦଲାଲମାନଙ୍କୁ କେବଳ ଜମି ରେଜିଷ୍ଟ୍ରି କରିବାକୁ ବାଧ୍ୟ କଲେ। ଦଲାଲମାନଙ୍କ କାରନାମା ଧରାପଡ଼ିବା ପରେ ସେମାନେ ସସ୍ମିତଙ୍କୁ ଜମି ରେଜିଷ୍ଟ୍ରି ପାଇଁ ପୁଣି ସାଢ଼େ ୧୧ ଲକ୍ଷ ଟଙ୍କା ଦାବି କରିଥିଲେ। ଏମିତିକି ଅଗ୍ରିମ ନେଇଥିବା ଟଙ୍କା ଫେରାଇବେ ନାହିଁ ବୋଲି ରୋକ୍ଠୋକ କହିଥିଲେ। ଏନେଇ ସସ୍ମିତ ବାଧ୍ୟ ହୋଇ ପାହାଳ ଥାନାର ଦ୍ବାରସ୍ଥ ହୋଇଥିଲେ।