ମୁରିବାହାଲରୁ ୧୨ ଦାଦନ ଉଦ୍ଧାର

ସର୍ଦ୍ଦାର କୋର୍ଟ ଚାଲାଣ

ମୁରିବାହାଲ : ମୁରିବାହାଲ ବ୍ଲକ୍‌ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ପଡ଼ାର ୧୨ରୁ ଅଧିକ ଦାଦନ ସୁଦୂର ଆନ୍ଧ୍ରପ୍ରଦେଶକୁ ଇଟା ଗଢ଼ିବା ପାଇଁ ଯାଉଥିବା ବେଳେ ମୁରିବାହାଲ ପୁଲିିସ ଦ୍ୱାରା ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମୁରିବାହାଲ ଥାନାର ଏଏସ୍‌ଆଇ ରବିନାରାୟଣ ତ୍ରିପାଠୀ ଓ କନେଷ୍ଟବଳ ସୁରେନ୍ଦ୍ର ଭୋଇ ପ୍ରମୁଖ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ମୁରିବାହାଲ ବ୍ଲକ୍‌ ସମ୍ମୁଖରେ ଥିବା ମାହାରପଡ଼ା ଛକରେ କେତେ ଜଣ ଦାଦନ ଯିବା ପାଇଁ ଏକତ୍ରିତ ହୋଇଥିବା ଖବର ପାଇ ସେଠାରେ ପହଞ୍ଚି ପଚରା ଉଚରା କରିଥିଲେ। ସେମାନେ ସମସ୍ତେ ମୁରିବାହାଲ ମାହାରପଡ଼ାର ବୋଲି ଜଣା ପଡ଼ିଥିଲା। ଏଥିରେ ୭ ଜଣ ପୁରୁଷ ଓ ୫ ଜଣ ମହିଳା ଥିବା ବେଳେ ଏମାନଙ୍କୁ ଅଗ୍ରୀମ ୭ ହଜାର ଟଙ୍କା ଲେଖାଏଁ ଦେଇ ବେଲପଡ଼ା ଥାନା ଖଲିପଥର ଗାଁର ଦାଦନ ସର୍ଦ୍ଦାର ନୀଳମଣି ସାହାଣୀ ଆନ୍ଧ୍ରପ୍ରଦେଶର ବିଜୟନଗରମକୁ ଚାଲାଣ କରୁଥିବା ପ୍ରକାଶ କରିଥିଲେ।

ନୀଳମଣିକୁ ଦାଦନ ଚାଲାଣ ସଂପର୍କରେ ଆବଶ୍ୟକ କାଗଜପତ୍ର ମାଗିବାରୁ ସେ ଏହା ଦେଖାଇ ପାରିନଥିଲା। ଫଳରେ ପୁଲିସ ଦାଦନ ଚାଲାଣ ଅଧିନିୟମ ୧୯୭୯ ଅନୁଯାୟୀ ସର୍ଦ୍ଦାର ସହିତ ଅଟକ ଦାଦନମାନଙ୍କୁ ଅଧିକ ପଚରାଉଚୁରା କରିବା ପାଇଁ ଥାନାକୁ ଆଣିଥିଲେ। ଥାନାରେ ଅଧିକ ପଚରାଉଚୁରା ପରେ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ସହ ସର୍ଦ୍ଦାର ନୀଳମଣିକୁ ଆଜି କୋର୍ଟ ଚାଲାଣ କରିଥିଲା। ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁଥିବା ଆଇଆଇସି ଲୋକନାଥ ଭୋଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର