୧୨ ମୋଟରସାଇକେଲ ଜବତ, ୪ ଆନ୍ତଃଜିଲ୍ଲା ଚୋର ଗିରଫ

ଭଦ୍ରକ : ଭଦ୍ରକ ଟାଉନ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୨ଟି ମୋଟରସାଇକେଲ ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଛି।

ଭଦ୍ରକ ଟାଉନ୍ ଭିତରେ ଗତ କିଛି ଦିନ ହେଲା ବହୁ ଲୋକଙ୍କର ମୋଟରସାଇକେଲ ଚୋରି ହେଉଥିଲା। ମୋଟରସାଇକେଲ ଚୋରି ସଂପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ ସେମାନଙ୍କ ଟେର୍ ପାଉନଥିଲା। ଭଦ୍ରକ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ଥାନା ପକ୍ଷରୁ ସବ୍‌ଇନିସପେଣ୍ଟର ଦେବରାଜ ଜେନାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ମୋଟରସାଇକେଲ ଚୋରି ରାକେଟ ଉପରେ ନଜର ରଖାଯାଇଥିଲା। ଭଦ୍ରକ ସହର ଭିତରେ ଦୁଇ ଜଣ ମୋଟରସାଇକେଲ ଚୋର ଭଡାରେ ରହୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ପ୍ରଥମେ ସେମାନଙ୍କୁ ଧରିବାକୁ ପିଛା କରିଥିଲା। ମୁଖ୍ୟ ଅଭିଯୁକ୍ତ ଶଶିକାନ୍ତ ପ୍ରଧାନ(୨୮)କୁ ଭଦ୍ରକ ଟାଉନ ପୁଲିସ ଧରିଥିଲା। ଶଶିକାନ୍ତଙ୍କର ଘର ଖନ୍ତାପଡା ଥାନା ଅନ୍ତର୍ଗତ ଦ୍ବାରିକା ଗ୍ରାମରେ। ଶଶିକାନ୍ତଙ୍କ ଠାରୁ ଗତକାଲି ୪ଟି ମୋଟରସାଇକେଲ ପୁଲିସ ଜବତ କରିବା ପରେ ତାର ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଥିଲା। ପୁଲିସର ଏହି ଜାଲରେ ଜଣେ ପରେ ଜଣେ ମଟରସାଇକେଲ ଚୋର ଧରା ପଡିଥିଲେ। ଶଶିକାନ୍ତଙ୍କ ଗ୍ୟାଙ୍ଗର ଅନ୍ୟ ଜଣେ ଅଭିଯୁକ୍ତ ସେହି ଗ୍ରାମର ସୁଶାନ୍ତ ମଲ୍ଲିକ (୩୦) ମଧ୍ୟ ଧରାପଡିଥିଲେ। ତାଠାରୁ ପୁଲିସ ୩ଟି ମୋଟରସାଇକେଲ ଜବତ କରିଛି।

ଏହି ଦୁଇ ଚୋର ଭଦ୍ରକ ଜିଲ୍ଲାରେ ନିଜର ନେଟ୍‌ୱାର୍କ କରି ବାଲେଶ୍ବରକୁ ମୋଟରସା‌ଇକେଲ ଚାଲାଣ କରୁଥିଲେ। ଏମାନଙ୍କ ସହ ମିଶି ଚୋରି କରିଥିବା ଖନ୍ତାପଡା ଥାନା ବରପଦା ଗ୍ରାମର କପିଳାସ ମଲ୍ଲିକ(୩୧)କୁ ଗତକାଲି ରାତିରେ ଉଠାଇ ଆଣିଥିଲା। ତାଠାରୁ ୨ଟି ମୋଟରସାଇକେଲ ଜବତ କରିବା ସହ ତାର ଅନ୍ୟ ଜଣେ ସହଯୋଗୀ ଖନ୍ତାପଡା ଥାନା କଲ୍ୟାଣୀ ଗ୍ରାମର ସୁଧାକର ପାଢୀକୁ ଗିରଫ କରି ୩ଟି ମୋଟରସାଇକେଲ ଜବତ କରିଥିଲା। ଏହି ୪ ଜଣଙ୍କ ଠାରୁ ୧୨ଟି ମୋଟରସାଇକେଲ ଜବତ କରାଯାଇଥିବା ବେଳେ ୨ଟି ମୋବାଇଲ ଜବତ କରାଯାଇଛି। ଏମାନଙ୍କୁ ଭଦ୍ରକ ଟାଉନ ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି ବୋଲି ଭଦ୍ରକ ସଦର ଏସଡିପିଓ ସାର୍ଥକ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର