ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୧୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ପି ରବିନସନ୍ ଗରିୟାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଏରିଆ କମିଟି ସଦସ୍ୟ, ସିଏନ୍ଏମ୍ ଅଧ୍ୟକ୍ଷ, ପିପିସିଏମ୍ ସଦସ୍ୟ, ଜନତାନା ସରକାର ଅଧ୍ୟକ୍ଷ, ମିଲିଟ୍ରି ପ୍ଲାଟୁନ୍ ସଦସ୍ୟ, ମିଲିସିଆ କମାଣ୍ଡର ରହିଛନ୍ତି।
ଏମାନଙ୍କ ନାମରେ ସରକାର ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ପ୍ରମୁଖ ନକ୍ସଲଙ୍କ ମଧ୍ୟରେ ୫ଲକ୍ଷ ଘୋଷିତ ଏରିଆ କମିଟି ସଦସ୍ୟ ମୁଦରେନ ନେତାମ ଅରଫ ସୁଧାକର, ୫ ଲକ୍ଷ ଘୋଷିତ ପାର୍ଟି ମେମ୍ବର ଧୋବା ସଲାମ ଅରଫ ମହେଶ ସଲାମ, ୨ ଲକ୍ଷ ଘୋଷିତ ସିଏନ୍ଏମ୍ ଅଧ୍ୟକ୍ଷ ସତାରେ ସଲାମ, ୨ ଲକ୍ଷ ଘୋଷିତ ପିପିସିଏମ୍ ସଦସ୍ୟ ଲକ୍ଷ୍ମଣ ମାଡ଼ବୀ ରହିଛନ୍ତି। ଅନ୍ୟ ନକ୍ସଲ ନାମରେ ୧ ଲକ୍ଷ ଏବଂ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଥିଲା। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନାରାୟଣପୁର ଜିଲ୍ଲାରେ ଚଳିତ ବର୍ଷ ୧୭୭ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।