ଗଞ୍ଜାମ ଜିଲ୍ଲାରେ ଖୋଲିବ ଆଉ ୧୨ ନୂଆ ରାଜସ୍ବ ସର୍କଲ୍, ଆର୍‌ଆଇ, ଅମିନ ନଥାଇ କିଭଳି ଚାଲିବ ଜିଲ୍ଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ୧୯୯ଟି ରାଜସ୍ବ ସର୍କଲ୍‌ ରହିଛି। ଚଳିତ ବର୍ଷ ଜିଲ୍ଲାର ଆଉ ୧୨ଟି ରାଜସ୍ବ ସର୍କଲ୍‌ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ସହ ଆନୁଷଙ୍ଗିକ ପଦକ୍ଷେପ ହାତକୁ ନିଆଯାଇଥିବା ଜଣାପଡ଼ିଛି। ଖୁବଶୀଘ୍ର ନୂତନ ୧୨ଟି ରାଜସ୍ବ ସର୍କଲ୍‌ ଖୋଲିବ ବୋଲି ଜଣପଡ଼ିଛି। ଏହି ରାଜସ୍ବ ସର୍କଲ୍‌ ଖୋଲିବା ପରେ ଜିଲ୍ଲାର ରାଜସ୍ବ ସର୍କଲ ସଂଖ୍ୟା ୨୧୧ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଜିଲ୍ଲାରେ ବହୁ ସଂଖ୍ୟାରେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ), ସହକାରୀ ରାଜସ୍ବ ନିରୀକ୍ଷକ(ଏଆରଆଇ) ଓ ଅମିନ ପଦବି ଖାଲି ପଡ଼ିଛି। ସବୁ କ୍ଷେତ୍ରରେ ଆର୍‌ଆଇଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବା ବେଳେ ଆବଶ୍ୟକ ମୁତାବକ ଆର୍‌ଆଇ ନ ଥାଇ କିଭଳି ଜିଲ୍ଲା ଚାଲିବ ଓ ଲୋକ ରାଜସ୍ବ ସେବା ପାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟରେ ୪୫୦ଟି ନୂତନ ରାଜସ୍ବ ସର୍କଲ୍‌ ଖୋଲିବା ତଥା ଗଠନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ରାଜସ୍ବ ସରକାର ସରକାରଙ୍କ ରାଜସ୍ବ ବିଭାଗର ତତ୍‌କାଳୀନ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏସଂକ୍ରାନ୍ତରେ ୨୦୧୯ ଡିସେମ୍ବର ୭ରେ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଆରଆଇ ସର୍କଲ୍‌ ପୁନର୍ଗଠନ କରି ନୂତନ ଆରଆଇ ସର୍କଲ୍‌ ଗଠନ ନିମନ୍ତେ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ୨୦ଟି ନୂତନ ରାଜସ୍ବ ସର୍କଲ୍ ଖୋଲିବା ଲାଗି ପ୍ରସ୍ତାବ ରହିଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ରାଜସ୍ବ ସର୍କଲ ପୁନର୍ଗଠନ କରି ୧୨ଟି ନୂତନ ରାଜସ୍ବ ସର୍କଲ୍ ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ସାନଖେମୁଣ୍ଡି ତହସିଲର କଲରାପଦର, ଛଣମେରି, କୋଦଳା ତହସିଲର ମର୍ଦ୍ଦକୋଟ, କବିସୂର୍ଯ୍ୟନଗର ତହସିଲର ନନ୍ଦିଆଗଡ଼ା ଓ ବରିଡ଼ା, ଆସିକା ତହସିଲର ବାବନପୁର, ବୁଗୁଡ଼ା ତହସିଲର ଅନ୍ତରାପଡ଼ା, ମାଣିତରା ଓ କରଚୁଲି ଏବଂ ସୋରଡ଼ା ତହସିଲର ଗାଜଲବାଡ଼ି, ବୋରଦା ଓ ସରବାଡିର ନୂଆ ଖିଲାବାଡ଼ି ନୂତନ ଆର୍‌ଆଇ ପୁନର୍ଗଠନ ଖୋଲିବାର ପ୍ରସ୍ତାବ ରହିଥିବା କବିସୂର୍ଯ୍ୟନଗରର ସୂଚନା ଅଧିକାରୀ କର୍ମୀ ବି.ଶଙ୍କର ପାତ୍ରଙ୍କୁ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟବାସୀଙ୍କୁ ସୁବିଧାରେ ରାଜସ୍ବ ସେବା ଯୋଗାଇ ଦେବା ଲାଗି ରାଜସ୍ବ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ, ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ, ଅମିନ ଆଦି ପଦବି ଖାଲି ପଡ଼ିଥିବାରୁ ଠିକଣା ସମୟରେ ଲୋକଙ୍କ ନିକଟରେ ରାଜସ୍ବ ସେବା ପହଞ୍ଚି ପାରୁନାହିଁ। ସବୁ କାମରେ ଆରଆଇ ରିପୋର୍ଟ ମଗାଯାଉଛି। ବନ୍ୟା, ବାତ୍ୟା, ଘରପୋଡ଼ି ଠାରୁ ଆରମ୍ଭ କରି ଜନ୍ମ, ମୃତ୍ୟୁ ପର୍ଯ୍ୟନ୍ତ ସବୁଥିରେ ଆରଆଇମାନେ ସରଜମିନ୍‌ ଯାଞ୍ଚ କରି ରିପୋର୍ଟ ଦେଇଥାନ୍ତି। ରାଜସ୍ବ ଆଦାୟ କ୍ଷେତ୍ର ଆରଆଇମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସବୁ କାମରେ ଆରଆଇଙ୍କୁ ଖୋଜା ପଡ଼ୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଗଣ୍ଡା ଗଣ୍ଡା ପଦବି ଖାଲିପଡ଼ିଛି। ଜିଲ୍ଲାରେ ୧୯୯ଟି ଆରଆଇ ସର୍କଲ୍‌ ରହିଥିବା ବେଳେ ୪୯ଟି ଆରଆଇ ପଦବି ଖାଲି ପଡ଼ିଛି। ସେହିପରି ୧୦୧ଟି ସହକାରୀ ରାଜସ୍ବ ନିରୀକ୍ଷକ(ଏଆରଆଇ), ୧୦୯ଟି ଅମିନ ଓ ୨ଟି ରାଜସ୍ବ ସୁଇପଭାଇଜର ପଦବି ଖାଲି ପଡ଼ିଛି। ଆରଆଇ ଓ ଅମିନ ବିନା କିଭଳି ଜିଲ୍ଲା ଚାଲିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର