୧୭ ନୁହେଁ, ୧୨ ଓଏଏସ୍‌ ଅଫିସର୍‌ ଜିଲ୍ଲା ଯିବେ

ଭୁବନେଶ୍ବର : ଜିଲ୍ଲା ସ୍ତରରେ କୋଭିଡ୍‌ ପରିଚାଳନାକୁ ସୁରୁଖୁରୁରେ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ସେଥିପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ୫ଟି ଜିଲ୍ଲାକୁ ୧୭ ଜଣ ବରିଷ୍ଠ ଓଏଏସ୍‌ ଅଫିସର୍‌ଙ୍କୁ ପଠାଇବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୫ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା। କିନ୍ତୁ ଆଜି ଏହି ବିଜ୍ଞପ୍ତିକୁ ବାତିଲ୍‌ କରାଯାଇ ସାନି ବିଜ୍ଞପ୍ତି ଜାରି ହୋଇଛି। ୧୭ ବଦଳରେ ୧୨ ଜଣ ଓଏଏସ୍‌ ଅଫିସର୍‌ଙ୍କ ନାମ ଏହି ତାଲିକାରେ ରହିଛି। ପୂର୍ବ ତାଲିକାରୁ କିଛି ନାମ୍ ଏଥିରେ ବାଦ୍ ଦିଆଯାଇଥିଲା ବେଳେ କିଛି ନୂଆ ନାମ ଯୋଡ଼ାଯାଇଛି। ବିଜ୍ଞପ୍ତି ଅନୁଯାୟୀ ବିବେକାନନ୍ଦ ସାହୁ, ହେମନ୍ତ କୁମାର ସିଂହ ଓ ଶ୍ବେତ କୁମାର ଦାଶଙ୍କୁ ନୂଆପଡ଼ା, ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବଲାଙ୍ଗୀର, ଦୁର୍ଗା ପ୍ରସାଦ ମହାପାତ୍ର ଓ ଧୀରେନ୍ଦ୍ର ନାଥ କରଙ୍କୁ ବରଗଡ଼, ମଧୁସୂଦନ ବେହେରା ଓ ପ୍ରଭାତ କୁମାର ସାହୁଙ୍କୁ ସମ୍ବଲପୁର, ସନ୍ତୋଷ କୁମାର ଦାଶ, ଆଶିଷ କୁମାର ଜେନା ଓ ଦେବାଶିଷ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ ପଠାଯାଇଛି। ସମସ୍ତ ଅଧିକାରୀ ଆସନ୍ତାକାଲି ସୁଦ୍ଧା ଜିଲ୍ଲାକୁ ଯାଇ ସଂପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର