ହାଇଦ୍ରାବାଦରେ ବନ୍ଧା ପଡ଼ିଛନ୍ତି ୧୨ ଓଡ଼ିଆ

କଲମପୁର : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରୁ ହାଇଦ୍ରାବାଦକୁ କାମ ଅନ୍ୱେଷଣରେ ଯାଇଥିବା ଓଡ଼ିଆ ଶ୍ରମିକମାନେ ବନ୍ଧା ପଡ଼ିଛନ୍ତି। ଅର୍ଥାଭାବରୁ ସେଠାରୁ ମୁକୁଳି ପାରୁନାହାନ୍ତି। ଏପରିକି ସେମାନେ ଯେଉଁଠି କାମ କରୁଛନ୍ତି ତାଙ୍କର ସ୍ଥାୟୀ ଠିକଣା ଜଣାନାହିଁ। ସେମାନଙ୍କୁ ଫେରାଇ ଆଣିବାକୁ ପରିବାର ଲୋକେ ଗତ ୮ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି।

ଅଭିଯୋଗ ମୁତାବକ, ଏ ଅଞ୍ଚଳରୁ ୧୭ ଜଣ ବ୍ୟକ୍ତି ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ନଳକୂପ ଖନନକାରୀ ମାଲିକ ଠାରେ କାମ କରୁଥିଲେ। ସେହି ମାଲିକଙ୍କ ଠିକଣା ହେଲା ଜି ନର୍ସିଂ ରେଡ୍ଡି, ଶିବା ଡ୍ରିଲର୍ସ, ପ୍ଲଟ ନଂ ୭୦୪, ପ୍ରଶାନ୍ତ ନଗର କଲୋନି, ବନସ୍ଥଳୀପୁରମ, ହାଇଦ୍ରାବାଦ ୭୦ ବୋଲି ଏକ ପରିଚୟ ପତ୍ରରୁ ଜାଣିବାକୁ ମିଳିଛି। ଏହି ଶ୍ରମିକମାନେ ଜୟପାଟଣା ଥାନା ଅନ୍ତର୍ଗତ ମଦନ ଯାନୀ, ଲଖଣ ଯାନୀ,  ପ୍ରତାପ ନାଏକ, ସୁରେଶ ବଣୁଆ, ଲମ୍ବୋଦର ଦଳପତି, ଅର୍ଜୁନ ଭଷଁସାଲ, ଚିନ୍ତା ଭଷଁସାଲ, ହିରନ ଚଲାନ, ଅବି ରାଉତ, ରଘୁ ରାଉତ, ସଂବାରୁ ବେଶ୍ରl, ଅବି ମାଝୀ, ବଜିନ୍ଦ୍ର ମାଝୀ, ଚନ୍ଦ୍ରଭାନୁ ରାଉତ, କମଳୁ ବଣୁଆ ବୋଲି ଜଣାଯାଇଛି। ଅନ୍ୟପକ୍ଷେ ଉମା ଶଙ୍କର ମାଝୀ ଏବଂ ଚୈତନ୍ୟ ମାଝୀ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବୋଲି ଜଣାପଡିଛି। ମୋଟ ୧୭ ଜଣଙ୍କ ମଧ୍ୟରୁ ୫ ଜଣ ସେଠାରୁ ଖସି ପଳାଇ ଆସିଛନ୍ତି l ବର୍ତ୍ତମାନ ୧୨ ଜଣ ରହିଛନ୍ତି। ଏପରିକି ମାଲିକଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବାରୁ ଶ୍ରମିକମାନଙ୍କୁ ଏଠିସେଠି ଗାଡ଼ିରେ ନେଇ କାମ କରାଯାଉଛି। ପାରିଶ୍ରମିକ ମିଳୁ ନଥିବାରୁ ଏହି ଶ୍ରମିକମାନେ ଏକ ପ୍ରକାର ମାଲିକ ପାଖରେ ବନ୍ଧା ପଡିଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର