ବଜ୍ରାଘାତରେ ୧୨ ବଳଦ, ୧୬ ଛେଳି ମଲେ

ସାହାରପଡ଼ା/ବାଂଶପାଳ: କେନ୍ଦୁଝର ଜିଲ୍ଲା ସାହାରପଡ଼ା ଓ ବାଂଶପାଳ ବ୍ଲକ୍‌ରେ ବଜ୍ରାଘାତରେ ୧୨ଟି ବଳଦ ଓ ୧୬ଟି ଛେଳି ପ୍ରାଣ ହରାଇଛନ୍ତି। ସାହାରପଡ଼ା ଅଞ୍ଚଳରେ ଆଜି ଅପରାହ୍‌ଣରେ ଘଡ଼ଘଡ଼ି ସାଙ୍ଗକୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବର୍ଷା‌ ହୋଇଥିଲା। ବଜ୍ରାଘାତରେ ସାହାରପଡ଼ା ପଞ୍ଚାୟତ ତଣ୍ଡ ଗ୍ରାମର ପାରାବସାସାହିରେ ୭ଟି ଏବଂ ଦିଗିପୋଷି ପଞ୍ଚାୟତ ଗାଇଁଶିରି ଗ୍ରାମରେ ୫ଟି ବଳଦ ପ୍ରାଣ ହରାଇଛନ୍ତି। ତଣ୍ଡ ଗ୍ରାମର ସୁଜିତ ମହାନ୍ତଙ୍କ ତିନିଟି, ଆନନ୍ଦ ମହାନ୍ତଙ୍କ ଦୁଇଟି, ତ୍ରିଲୋଚନ ମହାନ୍ତଙ୍କ ଗୋଟିଏ, ସନୁ ମହାନ୍ତଙ୍କ ଗୋଟିଏ, ଗାଇଁଶିରି ଗ୍ରାମର ବାସୁଦେବ ମୁଣ୍ଡାଙ୍କ ଗୋଟିଏ, ଅର୍ଜୁନ ମୁଣ୍ଡାଙ୍କ ଦୁଇଟି, ସମରା ମୁଣ୍ଡାଙ୍କ ଗୋଟିଏ ଏବଂ ଝୁନୁ ମୁଣ୍ଡାଙ୍କ ଗୋଟିଏ ବଳଦ ପ୍ରାଣ ହରାଇଥିଲା। ବଳଦ ଗୁଡ଼ିକ ପ୍ରାଣ ହରାଇବା ପରେ ଆଗକୁ ଧାନଚାଷ କିପରି କରିବେ ତାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସାହାରପଡ଼ା ରାଜସ୍ବ ନିରୀକ୍ଷକ ଶରତ ନାଏକ ଏବଂ ଏଲ୍‌ଆଇ ଅଜୟ କୁମାର ପାତ୍ର ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି।

ସେହିପରି ବାଂଶପାଳ ବ୍ଲକ୍‌ ତଳଚମ୍ପେଇ ପଞ୍ଚାୟତ ସାରୁକୁଦର ଗାଁରେ ବଜ୍ରାଘ‌ାତରେ ୧୬ଟି ଛେଳି ପ୍ରାଣ ହରାଇଛନ୍ତି। ଛେଳି ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍‌ଣରେ ସାରୁକୁଦର ଗାଁର ଦୈତାରୀ ବାରିକ ନିଜ ଛେଳିପଲକୁ ନେଇ ଗାଁ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ଯାଇଥିଲେ। ଏହି ସମୟରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ଦୈତାରୀ ଛେଳିପଲ ସହ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରାପାତ ହେବାରୁ ୧୬ଟି ଛେଳି ପ୍ରାଣ ହରାଇଥିଲେ। ଖବରପାଇ ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ୧୬ଟି ଛେଳିର ମୂଲ୍ୟ ପାଖାପାଖି ଦୁଇଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଦୈତାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର