କେନ୍ଦ୍ରୀୟ ବିଦ୍ୟାଳୟର ୧୨ ଛାତ୍ରଛାତ୍ରୀ ଅସୁସ୍ଥ; ୨ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି

ରାୟଗଡ଼ା: ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ୨ ଛାତ୍ର କରୁଣାକର ମହାନନ୍ଦିଆ ଓ ଜୀବନଜିତ୍ ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟବସ୍ଥା ସ୍ଥିର ପାଇଁ କରୁଣାକରଙ୍କୁ ଅକ୍ସିଜେନ୍ ଓଜୀବନଜିତଙ୍କୁ ସାଲାଇନ୍ ସହ ଅନ୍ୟ ମେଡ଼ିସିନ୍ ପ୍ରଦାନ କରାଯାଇଥିବା ଡାକ୍ତର କହିଛନ୍ତି।

ବିଦ୍ୟାଳୟ ଡାଇନିଂ ହଲ୍ ପରିସରରେ ଜଳଖିଆ ଖାଇବା ପରେ ଏହି ଅଘଟଣ ଘଟିଥିଲା। ଅଷ୍ଟମ ଶ୍ରେଣୀ ‘ଏ’ ଓ ‘ବି’ ସେକ୍ସନର କିଛି ଛାତ୍ର ମୁଣ୍ଡବ୍ୟଥା ହେଉଥିବା କହିଥିଲେ। କିଛି ସମୟ ପରେ ଜଣେ ଛାତ୍ର ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ। ଏହା ପରେ ଜଣେ ପରେ ଜଣେ ଛାତ୍ର ଅସ୍ବାଭାବିକ ଭାବେ ଅଚେତ ହୋଇ ପଡ଼ିଥିଲେ। ୧୪ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ତଳେ ପଡିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ‌ଶ୍ରେଣୀ ଗୃହକୁ ଦୌଡ଼ି ଆସିଥିଲେ। ବିଦ୍ୟାଳୟ ନର୍ସ ଶ୍ରେଣୀଗୃହରେ ପହଞ୍ଚି ସମସ୍ତ ଛାତ୍ରଙ୍କ ଚିକିତ୍ସା କରିଥିଲେ। ମୁଣ୍ଡବ୍ୟଥା ସହ ବାନ୍ତି ଆସୁଥିବା ଛାତ୍ରଛାତ୍ରୀ ପ୍ରକାଶ କରିବା ପରେ ଘଟଣା ସଂପର୍କରେ ସ୍କୁଲ୍ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ସୂଚନା ଦେଇଥିଲେ। ଅଭିଭାବକ ସ୍କୁଲରେ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆଣି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ।

କରୁଣାକର ଏବଂ ଜୀବନଜିତଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି। ଉଭୟଙ୍କୁ ଶିଶୁ ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଛି। କରୁଣାକର ଅକ୍ସିଜେନ୍ ସ୍ତର ହ୍ରାସ ପରେ ତୁରନ୍ତ ଅକ୍ସିଜେନ୍ ପ୍ରଦାନ କରାଯାଇଛି। ଚିକିତ୍ସା ପରେ ଉଭୟେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ କେଉଁ କାରଣ ପାଇଁ ବିଦ୍ୟାଳୟର ୧୪ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ତାହାର କାରଣ ଜଣା ପଡିନାହିଁ। ବର୍ତ୍ତମାନ ସ୍କୁଲରେ ମାସିକ ପରୀକ୍ଷା ଚାଲିଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ସକାଳୁ କିଛି ନ ଖାଇ ସ୍କୁଲକୁ ଚାଲି ଆସୁଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ବର୍ଷା ଲାଗି ରହିଥିବାରୁ ଏହାର ପ୍ରଭାବରେ ଛାତ୍ରଛାତ୍ରୀଙ୍କୁ ଜ୍ବର, କାଶ, ଥଣ୍ଡା ଲାଗି ରହିଛି ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର