ଅନୁଗୁଳ: ୧୫ହଜାର ପିଲାକୁ ୧୨ହଜାର ସିଟ୍‌, ୩୦୦୦ ପିଲା ପଢ଼ିବେ କେଉଁଠି?

ଅନୁଗୁଳ : ଏଥର ଅନୁଗୁଳ ଜିଲ୍ଲାରେ ଯେତେ ସଂଖ୍ୟକ ବିଦ୍ୟାର୍ଥୀ ମାଟ୍ରିକ୍‌ରେ ସଫଳତାର ସହିତ ପାସ୍‌ କରିଛନ୍ତି, ସେତିକି ସଂଖ୍ୟକ ପିଲାଙ୍କୁ କଲେଜରେ ନାମ ଲେଖାଇବା ପାଇଁ ସିଟ୍ ହିଁ ନାହିଁ। ଜିଲ୍ଲାରେ ଏଥର ମାଟ୍ରିକ୍‌ ପାସ୍‌ କରିଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୧୫ହଜାର ହୋଇଥିବା ବେଳେ ସିଟ୍‌ ଅଛି ପ୍ରାୟ ୧୨ହଜାର। ତେଣୁ, ଅବଶିଷ୍ଟ ତିନି ହଜାର ବିଦ୍ୟାର୍ଥୀ କେଉଁଠି ପଢ଼ିବେ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ତଥ୍ୟ ମୁତାବକ, ଚଳିତବର୍ଷ ଅନୁଗୁଳ ଜିଲ୍ଲାର ମୋଟ୍‌ ୧୬ହଜାର ୨୪୪ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ମାତ୍ର ୨୮୦ଟି ପିଲା ଫେଲ୍ ହୋଇଥିବା ବେଳେ ୬୯ଜଣ ଏମ୍‌ପି ଓ ୧୯୬ଜଣ ପରୀକ୍ଷା ଦେଇନଥିଲେ। ଏହାବାଦ୍‌ ଆଉ ସବୁ ପିଲା ଏଥର ପାସ୍‌ କରିଛନ୍ତି। ରାଜ୍ୟର ପାସ୍‌ ହାରଠୁ ବି ଜିଲ୍ଲାର ପାସ୍‌ ହାର ଡେଇଁ ଯାଇ ୯୬.୬୪ପ୍ରତିଶତକୁ ଛୁଇଁଛି। ମୋଟ୍ ୧୬ହଜାର ବିଦ୍ୟାର୍ଥୀଙ୍କ ମଧ୍ୟରୁ ଏଥର ପରୀକ୍ଷାରେ ମୋଟ୍ ୧୫ହଜାର ୬୯୯ଜଣ ଉତୀର୍ଣ୍ଣ ହୋଇଛନ୍ତି। ସବୁଠାରୁ ବେଶି ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି, ବି-୧, ବି-୨, ସି, ଡି ଓ ଇ ଗ୍ରେଡ୍‌ରେ। ବି-୧ ଗ୍ରେଡ୍‌ରେ ଏଥର ୨୨୫୦ ପିଲା ପାସ୍‌ କରିଥିବା ବେଳେ ବି-୨ ଗ୍ରେଡ୍‌ରେ ୩୩୨୧, ‘ସି’ ଗ୍ରେଡ୍‌ରେ ୩୫୭୪ ଏବଂ ‘ଡି’ ଗ୍ରେଡ୍‌ରେ ଅଛନ୍ତି ୩୨୨୯ ଜଣ।

ଏତିକି ସଂଖ୍ୟକ ବିଦ୍ୟାର୍ଥୀଙ୍କ ପାଇଁ କଲେଜର ସିଟ୍ ସଂଖ୍ୟା ହିସାବ କଲେ ପ୍ରାୟ ଶହେରେ ୨୦ପ୍ରତିଶତ ସିଟ୍ ନିଅଣ୍ଟିଆ ପଡ଼ୁଛି। ସରକାରୀ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲାରେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ ସଂଖ୍ୟା ହେଲା ୫୩। ବିଜ୍ଞାନ, ବାଣିଜ୍ୟ, କଳା, ସଂସ୍କୃତ ଏବଂ ଭୋକେସ୍‌ନାଲ୍ ଆଦି ବିଷୟ ବସ୍ତୁକୁ ନେଇ ସରକାର ମୋଟ୍ ୧୨ହଜାର ୪୭୯ ସିଟ୍ ସଂଖ୍ୟା ସ୍ଥିର କରିଛନ୍ତି। ତନ୍ମଧ୍ୟରେ, କଳା ବିଭାଗରେ ସର୍ବାଧିକ ୬ହଜାର ୬୬୭ଟି ସିଟ୍‌ ରହିଥିବା ବେଳେ ତା ତଳକୁ ରହିଛି ବିଜ୍ଞାନ ବିଭାଗର ୪ହଜାର ୭୬୮। ବାଣିଜ୍ୟରେ ୭୦୪ଟି ସିଟ୍‌ ରହିଥିବା ବେଳେ ସଂସ୍କୃତରେ ୬୪ ଓ ଭୋକେସନାଲ୍‌ରେ ୨୭୬ଟି ସିଟ୍‌ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାରେ ୧୨ହଜାର ନାମ ଲେଖା କଲେଜ ସିଟ୍ ରହିଥିବା ବେଳେ ବିଦ୍ୟାର୍ଥୀ ସଂଖ୍ୟା ୧୫ହଜାର ଡେଇଁଲେଣି। ତେଣୁ, ଅବଶିଷ୍ଟ ୩ହଜାର ବିଦ୍ୟାର୍ଥୀ କେଉଁଠି ପଢ଼ିବେ? ତାହାକୁ ନେଇ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର