୭ ବର୍ଷରେ ୧୨ ହଜାର ଶିଶୁ ଗାଏବ : ଦଲାଲଙ୍କ ତଥ୍ୟ ଦେଲେ ୫ ହଜାର ପୁରସ୍କାର, ଏତଲାର ୭ ଦିନରେ ଫଟୋ ପ୍ରକାଶ ନିର୍ଦ୍ଦେଶ

କଟକ : ସର୍ବାଧିକ ଶିଶୁ ଗାଏବ ମାମଲାରେ ଅନୁଗୁଳ ଜିଲ୍ଲା ପୁଲିସ ଦୁର୍ନାମ ଅର୍ଜନ କରିଛି। ତା’ ପଛକୁ ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲା ରହିଛି। ରାଜ୍ୟରେ ବିଗତ ୭ ବର୍ଷ ମଧ୍ୟରେ ୧୨ ହଜାର ଶିଶୁ ଗାଏବ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ହଜାରରୁ ଅଧିକ କେବଳ ନାବାଳିକା ଅଛନ୍ତି। ଯେଉଁ ଶିଶୁମାନେ ଉଦ୍ଧାର ହୋଇଛନ୍ତି, ଅଧିକ ସଂଖ୍ୟାରେ ଶିଶୁ ଶ୍ରମିକ କିମ୍ବା ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରୁ ହିଁ ଅଧିକ ସଂଖ୍ୟାରେ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ତା’ ପଛକୁ ରହିଛି ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ। ଏହି ରାଜ୍ୟର ଦଲାଲମାନେ ଓଡ଼ିଶାର ଉପାନ୍ତ ଅଞ୍ଚଳ ସମେତ ଗରୀବ ତଥା ଅଭାବୀ ପରିବାରର ଶିଶୁଙ୍କୁ ଟାର୍ଗେଟ କରୁଛନ୍ତି। ପରିବାର ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଛି। ଏଭଳି ସମ୍ବେଦନଶୀଳ ପ୍ରସଂଗକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି ରାଜ୍ୟ ପୁଲିସ ବିଭାଗ। ଅପରହଣ କରିଥିବା ଅଭିଯୁକ୍ତ କିମ୍ବା ଅପହୃତଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଯୋଗାଇଲେ, ତାଙ୍କୁ ତୁରନ୍ତ ଜିଲ୍ଲା ପୁଲିସ ପକ୍ଷରୁ ୫ ହଜାର ଟଙ୍କା ପୁରସ୍କାର ରାଶୀ ପ୍ରଦାନ କରାଯିବାକୁ ବିଭାଗ ପକ୍ଷରୁ ଏସ୍‌ପି/ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଶିଶୁ ଗାଏବ ସଂକ୍ରାନ୍ତରେ ରେକର୍ଡ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛ। ରାଜ୍ୟରେ ୨୦୧୦ରେ ୫୩୩ ଜଣ ନାବାଳକ ଗାଏବ ହୋଇଥିବା ବେଳେ ମାତ୍ର ୧୧୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ନାବାଳିକା ୧୨୧୨ ଜଣ ନିଖୋଜ ହୋଇଥିବା ବେଳେ ଉଦ୍ଧାର ହୋଇଥିଲେ ୧୯୩ ଜଣ। ୨୦୧୧ରେ ୬୫୩ ଜଣ ନାବାଳକ ନିଖୋଜ ହୋଇଥିବା ବେଳେ ଉଦ୍ଧାର ସଂଖ୍ୟା ୧୨୮ ଏବଂ ନାବାଳିକା ୧୫୧୭ ନିଖୋଜ ହୋଇଥିବା ବେଳେ ମାତ୍ର ୨୫୦ ଜଣ ଉଦ୍ଧାର ହୋଇଥିଲେ। ୨୦୧୨ରେ ୯୧୦ ଜଣ ନାବାଳକ ନିଖୋଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଉଦ୍ଧାର ହୋଇଥିଲେ ୪୪୧। ସେହି ବର୍ଷ ନାବାଳିକା ୨୬୦୧ ନିଖୋଜ ହୋଇଥିବା ବେଳେ ଉଦ୍ଧାର ହୋଇଥିଲେ ୮୯୦ ଜଣ। ୨୦୧୩ ବର୍ଷରେ ୭୪୧ ନାବାଳକ ନିଖୋଜ ହୋଇଥିବା ବେଳେ ୫୭୨ ଉଦ୍ଧାର ହୋଇଥିଲେ। ନାବାଳିକା ୨୦୦୬ ନିଖୋଜ ହୋଇଥିବା ବେଳେ ଉଦ୍ଧାର ସଂଖ୍ୟା ୧୪୮୭ ରହିଛି। ସେହିପରି କ୍ରାଇମ୍‌ବ୍ରାଞ୍ଚର ଅପରେସନ୍‌ ମୁସ୍କାନର ରିପୋର୍ଟରେ ଦର୍ଶାଯାଇଛି କି, ୨୦୧୩ରୁ ୨୦୧୭ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୧୯୫୮ ନାବାଳକ ଓ ନାବାଳିକା ଶିଶୁ ନିଖୋଜ ହୋଇଛନ୍ତି। ରୁଜୁ ହୋଇଥିବା ଏତଲା ଆଧାରରେ ଶିଶୁଙ୍କ ଉଦ୍ଧାର ଅନୁପାତ ରାଜ୍ୟରେ ଯଥେଷ୍ଟ କମ୍‌ ରହିବା, ଶିଶୁଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଅନ୍ୟପଟେ ସୁପ୍ରିମ୍‌କୋର୍ଟରେ ନିଖୋଜ ବ୍ୟକ୍ତିଙ୍କ ଫଟୋ ପ୍ରକାଶକୁ ନେଇ ହରିଲାଲ୍‌ ବନାମ ଦିଲ୍ଲୀ ପୁଲିସ କମିସନର୍‌ଙ୍କ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସେମାନଙ୍କୁ କିଭଳି ତୁରନ୍ତ ଉଦ୍ଧାର କ୍ଷେତ୍ରରେ ପୁଲିସ ବିଭାଗ ପଦକ୍ଷେପ ଗ୍ରହଣ କରିବ, ସେ ସମ୍ପର୍କରେ ଓଡ଼ିଶା ଗୃହ ବିଭାଗ ମାଧ୍ୟମରେ ରାଜ୍ୟ ପୁଲିସ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ଆଧାରରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜିଲ୍ଲା ଏସ୍‌ପି ଏବଂ କମିସନେରେଟ୍‌ ପୁଲିସର ଡିସିପିଙ୍କ ଉଦ୍ଦେଶ୍ୟରେ ଏବେ ଚିଠି ଲେଖି ନିଖୋଜ ମାମଲା ରୁଜୁ ପରେ କି ପ୍ରକାର ପଦକ୍ଷେପ ଗ୍ରହଣ କରିବ, ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି କୌଣସି ନିଖୋଜ ସଂକ୍ରାନ୍ତ ଏତଲା ଥାନାରେ ରୁଜୁ ହେବାର ସାତ ଦିନ ମଧ୍ୟରେ ଖବରକାଗଜ ଏବଂ ଟିଭିରେ ବିଜ୍ଞପ୍ତି ଭାବେ ପ୍ରକାଶ ପାଇବ। ସହର, ବଜାର ଏବଂ ଗ୍ରାମାଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଆକାରରେ ଛପାଯିବ। ୧୮ ବର୍ଷରୁ ଅଧିକ ହୋଇଥିଲେ, ଫଟୋ ଛପାଯିବ। କିନ୍ତୁ ୧୮ ବର୍ଷରୁ କମ୍‌ ବୟସ ହୋଇଥିଲେ ନିଖୋଜ ନାବାଳକ କିମ୍ବା ନାବାଳିକାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ତାଙ୍କ ଅନୁମତି ମିଳିବା ପରେ ସର୍ବସାଧାରଣରେ ଫଟୋ ପ୍ରକାଶ ପାଇବ। ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା କିମ୍ବା ଅପହରଣକାରୀଙ୍କ ସୁରାକ୍‌ ଯୋଗାଇବାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପୁରସ୍କାର ରାଶି ଘୋଷଣା କରାଯିବା। ଜିଲ୍ଲା ଏସ୍‌ପି କିମ୍ବା ଡିସିପିଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। କମିସନରେଟ୍‌ ପୁଲିସର ଡିିସିପି କିମ୍ବା ଜିଲ୍ଲା ଏସ୍‌ପି ମାନେ ସିଧାସଳଖ ସୂଚନା ଓ ପ୍ରସାରଣ ବିଭାଗକୁ ନିଖୋଜ ବ୍ୟକ୍ତିଙ୍କ ଫଟୋ ଏବଂ ଠିକଣା ପଠାଇ ଗଣମାଧ୍ୟମରେ ପ୍ରକାଶ କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୁପ୍ରିମ୍‌କୋର୍ଟର ନିର୍ଦ୍ଦେଶ ଆଧାରରେ କ୍ଷମତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର