ଖୋର୍ଦ୍ଧା: ତିନି ପାହାଡ଼ ଡେଇଁ ଘଞ୍ଚ ଜଙ୍ଗଲ ଭିତରେ ଭୋଜି କରିବା ଖୋର୍ଦ୍ଧାର ୧୨ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପାହାଡ଼ ଉପରେ ଗୋଟିଏ ଜଙ୍ଗଲୀ ବାର୍ହା ସମସ୍ତ ପର୍ଯ୍ୟଟକଙ୍କୁ ନାକେଦମ୍ କରିଛି। ପରିସ୍ଥିତି ଏମିତି ହୋଇଥିଲା ଯେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ କିଛି ଉଦ୍ଧାରକାରୀ ଦଳ ବି ସେଠାରେ ଫସି ରହିଛନ୍ତି। ୧୨ ପର୍ଯ୍ୟଟକଙ୍କ ମଧ୍ୟରୁ ତିନି ଜଣ ବାର୍ହା ଆକ୍ରମଣର ଶିକାର ହୋଇଛନ୍ତି। ତନ୍ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ବାର୍ହା ହାବୁଡ଼ରୁ ଖସି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନେ ଭୟରେ ଗଛରେ ଚଢ଼ି ରହିଛନ୍ତି। ଗଛ ତଳେ ବାର୍ହା ସମସ୍ତଙ୍କୁ ଜଗିରହିଛି।
ଆକ୍ରମଣରେ ୨ ଗୁରୁତର/ଜଣେ ଡାକ୍ତରଖାନାରେ ଭର୍ତ୍ତି
ଭୟରେ ଗଛ ଉପରେ ଚଢ଼ି ଜୀବନ ବଞ୍ଚାଇଲେ
ଉଦ୍ଧାରକାରୀ ଦଳ ବି ଫସିଲେ
ଘଟଣାସ୍ଥଳରେ ଏସ୍ପି ଓ ଡିଏଫ୍ଓଙ୍କ ତଦାରଖ
ବାର୍ହାକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବନ ବିଭାଗ ସରଞ୍ଜାମ, ବିଶେଷଜ୍ଞ ଓ ଡ୍ରୋନ୍ କ୍ୟାମେରା ମଗାଇଛି। ତେବେ ରବିବାର ବିଳମ୍ବିତ ରାତି ସୁଦ୍ଧା ବାର୍ହାକୁ ଟ୍ରାଙ୍କୁଲାଇଜ୍ କରାଯାଇପାରି ନଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଭୋଜି କରିବା ପାଇଁ ୧୨ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ ଉପରକୁ ଚଢ଼ିଥିଲେ। ଖୋର୍ଦ୍ଧା ରେଞ୍ଜର୍ ଜୟକୃଷ୍ଣ ପଣ୍ଡାଙ୍କ ସୂଚନା ହେଲା, ବରୁଣେଇ ପାହାଡ଼ ତଳ ହେଉଛି ପର୍ଯ୍ୟଟନ କ୍ଷେତ୍ର। କିନ୍ତୁ ପାହାଡ଼ ଉପର ନୁହେଁ। ଉପରକୁ ଯିବାକୁ ସମସ୍ତଙ୍କୁ ବାରଣ ଅଛି। ତଥାପି ନିୟମ ଭଙ୍ଗ କରି ଏମାନେ ପାହାଡ଼ ଉପରକୁ ଚଢ଼ିଥିଲେ। ପ୍ରାୟ ତିନିଟି ପାହାଡ଼ ଚଢ଼ିବା ପରେ ପାହାଡ଼ ଉପରେ ଥିବା ଟାୱାର ନିକଟରେ ପହଞ୍ଚିଥିଲେ। ସେଠାରେ ପର୍ଯ୍ୟଟକମାନେ ଜଙ୍ଗଲୀ ବାର୍ହା ସହିତ ମୁହାଁମୁହିଁ ହୋଇଥିଲେ। ବାର୍ହା ଭୟରେ କିଏ ଗଛ ଉପରକୁ ଚଢ଼ି ଯାଇଥିଲା ତ ପୁଣି କିଏ ଟାୱାର୍ ଉପରେ ଚଢ଼ି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ତିନି ଜଣ ବାର୍ହା ମୁହଁରେ ପଡ଼ି ଲହୁଲୁହାଣ ହୋଇଥିଲେ।
ଉଦ୍ଧାର କରିବାକୁ ତିନିଟି ଟିମ୍ ପାହାଡ଼ ଉପରକୁ ଯାଇଥିଲେ। ସାଥୀରେ ନିଆଁହୁଳା, ଲାଇଟ୍, ବାଣ ଆଦି ନେଇଥିଲେ। ହେଲେ ସେମାନେ ମଧ୍ୟ ସେଠି ଫସି ରହିଛନ୍ତି। ଖୋର୍ଦ୍ଧା ଏସ୍ପି ବିବେକାନନ୍ଦ ଶର୍ମା ଓ ଖୋର୍ଦ୍ଧା ଡିଏଫ୍ଓ ଲାଡ଼େ ଗଜାନନ ସ୍ଥିତି ତଦାରଖ କରିଛନ୍ତି। ରାତି ଯୋଗୁ ଉଦ୍ଧାର ପ୍ରକ୍ରିୟା କଷ୍ଟକର ହୋଇଛି। ତେବେ ରାତିରେ ବନବିଭାଗର ଏକ ଟିମ୍ ବାର୍ହାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/dagdzvc-2025-10-06-02-13-13.jpg)