୪୩.୪ରେ ଜଳୁଛି ବଲାଙ୍ଗୀର, ୧୨ସହରର ତାପମାତ୍ରା ୪୦ଂ ଉପରେ

ଭୁବନେଶ୍ୱର : ରାଜ୍ୟରେ ତାତି ଅସମ୍ଭାଳ ହେଲାଣି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ରାଜ୍ୟର ଆଜି ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ନଜରକୁ ଆସିଛି। ବଲାଙ୍ଗୀରରେ ଗତକାଲି ତାପମାତ୍ର ୪୨.୬ ଡିଗ୍ରି ରହିଥିଲା, ଆଜି କିନ୍ତୁ ତାପମାତ୍ରା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ବଲାଙ୍ଗୀର ସହରରେ ଆଜି ରାଜ୍ୟର ସର୍ବାଧିକ ୪୩.୪ ଡିଗ୍ରି ତାତି ରେକର୍ଡ କରାଯାଇଛି। ବଲାଙ୍ଗୀର ଭଳି ଝାରସୁଗୁଡ଼ା ମଧ୍ୟ ଗତକାଲିର ତାପମାତ୍ରାକୁ ଟପିଯାଇଛି। ସେଠାରେ ତାପମାତ୍ରା ୪୩.୨ ଡିଗ୍ରି ରହିଛି।

ଗତ କିଛିଦିନ ଧରି ରାଜ୍ୟରେ ତାତି ବଢ଼ି ବଢ଼ି ଚାଲିଛି। ଗତକାଲି ୮ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ ରହିଥିବା ବେଳେ ଆଜି ୧୨ଟି ସହରରେ ତାପମାତ୍ରା ୪୦ଡିଗ୍ରି ଉପରେ ରହିଛି। ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୩.୫ ଡିଗ୍ରି ରହିଥିବା ବେଳେ ଆଜି ତାହା ଖସି ଆସି ୪୨ଡିଗ୍ରିରେ ପହଞ୍ଚିଛି। ମାତ୍ର ଅନ୍ୟ ସହରରେ ତାତି ଯଥେଷ୍ଟ ବୃଦ୍ଧି ପାଇଛି। ସୋନପୁରରେ ଆଜି ତାପମାତ୍ର ୪୨.୬ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୪୨.୨ଡିଗ୍ରି, ହୀରାକୁଦରେ ୪୨.୧ଡିଗ୍ରି, ତାଳଚେରରେ ୪୧.୬ ଡିଗ୍ରି, ଭବାନୀପାଟଣାରେ ୪୧.୫ ଡିଗ୍ରି, ଅନୁଗୁଳରେ ୪୧.୧ଡିଗ୍ରି, ମାଲକାନାଗିରିରେ ୪୦.୨ଡିଗ୍ରି, ଢେଙ୍କାନାଳରେ ୪୦.୧ଡିଗ୍ରି ଓ ଫୁଲବାଣୀରେ ତାପମାତ୍ରା ୪୦ଡିଗ୍ରି ରେକର୍ଡ କରାଯାଇଛି।

ଅପରପକ୍ଷରେ ଉପକୂଳ ଓଡ଼ିଶାରେ ତାପାମାତ୍ରା ସାମାନ୍ୟ ହ୍ରାସ ପାଇଛି। ପୁରୀରେ ତାପମାତ୍ରା ୩୩ଡିଗ୍ରି ରହିଥିବା ବେଳେ ଗୋପଳପୁରରେ ୩୨ଡିଗ୍ରି ଓ ପାରାଦୀପରେ ୩୧.୭ଡିଗ୍ରି ରେକର୍ଡ ହୋଇଛି। ଏହାସହ ରାଜଧାନୀ ଭୁବନେଶ୍ୱରେ ତାପମାତ୍ରା ଆଜି ୩୯.୨ ଡିଗ୍ରି ରହିଛି। କେନ୍ଦୁଝରଗଡ଼, ଚାନ୍ଦବାଲି, କଟକ ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୮ଡିଗ୍ରି ଉପରେ ରହିଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର