ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଏହାର କୋର ଅଞ୍ଚଳରୁ ଆଉ ୧୨ଟି ଗାଁ ଉଚ୍ଛେଦ ହେବ। ଏଥିନେଇ ପ୍ରଶାସନ ଓ ବନବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ବନବିଭାଗକୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଗାଁଗୁଡ଼ିକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭିତରେ ଆସୁ ନଥିବାରୁ ଉଚ୍ଛେଦ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଞ୍ଚଳବାସୀ ଅଭିଯୋଗ ବାଢ଼ିଛନ୍ତି। ଇକୋସେନ୍ସିଟିଭ୍ ଏରିଆ ଭିତରେ ଆସୁଥିବା ଏହି ଗାଁଗୁଡ଼ିକୁ ଉଚ୍ଛେଦ କରାଗଲେ ଏହାର ପରିଣାମ ଭୟାବହ ହେବ ବୋଲି ସାତକୋଶିଆ ଅଭୟାରଣ୍ୟ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍ ଗ୍ରାମ ପଞ୍ଚାୟତ ସମେତ ଟିକରପଡା, ଜଗନ୍ନାଥପୁର ଓ ବଲଙ୍ଗ ପଞ୍ଚାୟତର ୧୨ଟି ଗ୍ରାମ ଉଚ୍ଛେଦ ନେଇ ପ୍ରଶାସନ ଓ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରୁ ସ୍ୱେଚ୍ଛାକୃତ ଗ୍ରାମ ବିସ୍ଥାପନ ବ୍ୟବସ୍ଥାରେ ସଂପୂର୍ଣ୍ଣ ଗ୍ରାମବାସୀ ସମ୍ମତି ପ୍ରକାଶ ପରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବା କଥା। ମାତ୍ର, ସାତକୋଶିଆ ବନଖଣ୍ଡ ଆଇନକୁ ଏଡ଼ାଇ ଦେଇ ମନଇଚ୍ଛା ବିସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ଏହାର ଉପଯୁକ୍ତ ତର୍ଜମା ନ କରି ବେଆଇନ୍ ବିସ୍ଥାପନକୁ ଆଗେଇବାରେ ସହଯୋଗ କରୁଛି। ଜଙ୍ଗଲ ଅଧିକାର ଆଇନ୍ ବଳରେ ଗ୍ରାମରେ ଜଙ୍ଗଲ ଅଧିକାରର ଉଭୟ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠିଗତ ଜଙ୍ଗଲ ଅଧିକାରର ଆଦୌ ପ୍ରକ୍ରିୟା ଆରମ୍ଭ ନ କରି ଗ୍ରାମ ବିସ୍ଥାପନ ବେଆଇନ୍ କାର୍ଯ୍ୟ ବୋଲି ୧୨ଟି ଗାଁର ଜନପ୍ରତିନିଧି, ବରିଷ୍ଠ ନାଗରିକ, ଗାଁ ସଭାପତି ପ୍ରମୁଖ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁସାରେ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ଅଭୟାରଣ୍ୟରୁ ସ୍ୱେଚ୍ଛାକୃତ ବିସ୍ଥାପନ ବନ୍ୟଜୀବ ସଂରକ୍ଷଣ ଆଇନର ୩୮(ଭି) ଓ ୨୪ ଓ ୨୫ ଧାରାରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ କୋର୍ ଏରିଆ, ସଂକଟାପନ୍ନ ବ୍ୟାଘ୍ର ବାସସ୍ଥଳୀ, ସଂକଟାପନ୍ନ ବନ୍ୟଜୀବ ବାସସ୍ଥଳୀ ଏବଂ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଓ ଜାତୀୟ ଉଦ୍ୟାନରୁ ବିସ୍ଥାପନ ସାଧାରଣ ଉଦ୍ଦେଶ୍ୟରେ ହେଇପାରିବ। କିନ୍ତୁ କେନ୍ଦ୍ର ସରକାରଙ୍କର ଅନୁମୋଦନକ୍ରମେ ଗତ ୨୦୧୮ ଡିସେମ୍ବର ୧୪ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲା ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଏବଂ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭିତରେ ଏହି ଗାଁଗୁଡ଼ିକ ଆସୁନି। ଏପରିକି ଏହି ଗ୍ରାମଗୁଡ଼ିକ ଇକୋସେନସିଟିଭ୍ ଏରିଆ ମଧ୍ୟରେ ଆସୁଅଛି। ଇକୋସେନସିଟିଭ୍ ଅଞ୍ଚଳରୁ ଗ୍ରାମ ବିସ୍ଥାପନ ସରକାରୀ ଆଇନ୍ ପରିସରଭୁକ୍ତ ହୋଇ ନଥିବା ଆଇନଜୀବୀ ପ୍ରସନ୍ନ କୁମାର ବେହେରା କହିଛନ୍ତି। ଅପରପକ୍ଷରେ ଏହି ୧୨ଟା ଗାଁକୁ ସବୁଦିନ ପାଇଁ ବିସ୍ଥାପନ କରିବାକୁ ବନବିଭାଗ ଓ ପ୍ରଶାସନ ଏକପ୍ରକାର ଜିଦ୍ ଧରି ବସିଛି।