ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଗିରଫ

ମୁରିବାହାଲ: ରାଜ୍ୟ ବାହାରରୁ ଚାଲାଣ ବେଳେ ମୁରିବାହାଲ ପୁଲିସ ଚଢ଼ଉ କରି ଦୁଇଟି ପୃଥକ୍‌ ଘଟଣାରେ ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ସହଯୋଗୀ ସର୍ଦ୍ଦାର ଟିକ୍ରାପଡ଼ାର ମକରଧ୍ବଜ ଖର୍ସେଲ (୩୪ବର୍ଷ) ଓ ସଇନ୍ତଳା ଥାନା କୁମ୍ଭେକେଲା ଗାଁର ସର୍ଦ୍ଦାର ବଳଦେବ ବଗର୍ତ୍ତି (୪୫ବର୍ଷ)।

ପୁଲିସର ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଜାମପଡ଼ା ଅଞ୍ଚଳର ୫ଜଣ ଶ୍ରମିକଙ୍କୁ ମକରଧ୍ୱଜ ନିଜ ଅଟୋରେ ‌ରେଳ ଷ୍ଟେସନକୁ ନେଉଥିଲେ। ଏହି ସମୟରେ ପୁଲିସ ଚଢ଼ଉ କରି ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ଶ୍ରମିକମାନେ ହେଲେ କନିଷ୍ଠ ରଣା(୪୫), ପତ୍ନୀ ପଦ୍ମା ରଣା(୪୦), ଦେବରାଜ ରଣା(୨୮), ଯଜ୍ଞ ରଣା(୧୯) ଓ ଜଣେ ନାବାଳକ। ସେହିପରି କୁମ୍ଭେକେଲା ଗାଁର ଶ୍ରମିକ ବଳରାମ ବଗର୍ତ୍ତି(୪୦ବର୍ଷ), ଶିବ ବଗର୍ତ୍ତି (୪୦ବର୍ଷ), ବିମଳା ବଗର୍ତ୍ତି (୩୨ବର୍ଷ), ବୁଢ଼ା ବଗର୍ତ୍ତି (୩୪ବର୍ଷ), ସେନ ବଗର୍ତ୍ତି (୩୫ବର୍ଷ), ଭକ୍ତ ବଗର୍ତ୍ତି (୩୨ବର୍ଷ) ଓ ଜଣେ ନାବାଳିକାଙ୍କୁ ସର୍ଦ୍ଦାର ବଳଦେବ ଚାଲାଣ କରୁଲା। ଖବର ପାଇ ପୁଲିସ ଟିକ୍ରାପଡ଼ା-ଗୁଡ଼ିଘାଟ ରାସ୍ତାରେ ଚଢ଼ଉ କରି ଉଦ୍ଧାର କରିଥିଲା। ସମସ୍ତ ଶ୍ରମିକଙ୍କୁ ପୁଲିସ ନିଜ ନିଜ ଘରକୁ ପଠାଇଥିଲା। ଅପରପକ୍ଷରେ ଗିରଫ ମକରଧ୍ୱଜ ଓ ବଳଦେବଙ୍କୁ କୋର୍ଟଚାଲାଣ କରିଥିଲା। ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର