ଭୋଗରାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୨୦ ବଖରା

ଠାକୁରମୁଣ୍ଡା/ ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ୍ ଆମ୍ବସରମୁଣ୍ଡା ପଞ୍ଚାୟତର ଭୋଗରା ଗ୍ରାମରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨୦ ବଖରା ଘର ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ୫୦ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ପ୍ରବଳ ଖରା ଯୋଗୁ ଗାଁ ଶୂନ୍‌ଶାନ୍ ଥିବାବେଳେ ହଠାତ୍ ଗ୍ରାମର ଛବି ପ୍ରଧାନଙ୍କ ଘରୁ ଗ୍ୟାସ୍ ଟାଙ୍କି ଫାଟି ଯାଇ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ନିଆଁ ଗାଁ ଚାରିଆଡ଼େ ବ୍ୟାପୀବାରେ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ଗ୍ରାମର ୫୦ ପରିବାରର ଘରଗୁଡ଼ିକ ଜଳିଯାଇଥିଲା।

ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ କେହି ବି ଘରର କୌଣସି ଜିନିଷ ଉଦ୍ଧାର କରିପାରିନଥିଲେ। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଜିନିଷପତ୍ର ସହ ଜମିପଟ୍ଟା, ରାସନ କାର୍ଡ ଆଦି ଆବଶ୍ୟକ କାଗଜପତ୍ର, ସଞ୍ଚିତ ଟଙ୍କା, ଧାନ, ଚାଉଳ ଆଦି ସାମଗ୍ରୀ ପୋଡ଼ିଯାଇଥିଲା। ଏବେ କେବଳ ସେମାନଙ୍କ ପାଖରେ ପିନ୍ଧାଲୁଗା ବ୍ୟତୀତ ଆଉ କିଛି ନାହିଁ। ନିଆଁକୁ ଆୟତ୍ତ କରିବାରେ ଗ୍ରାମବାସୀ ବିଫଳ ହୋଇଥିଲେ। ଖବର ପାଇ ଆଠମଲ୍ଲିକ ଦମକଳ କେନ୍ଦ୍ରର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ବିଳମ୍ବରେ ଦମକଳ ଗାଡି ପହଞ୍ଚିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଖରା ତାତିରେ ନିଆଁ ଲିଭାଇବା ଅଗ୍ନିଶମ ବାହିନୀ ପକ୍ଷେ କଷ୍ଟସାଧ୍ୟ ହୋଇ ପଡ଼ିଥିଲା। ନିଆଁକୁ ଆୟତ୍ତ କରିବ‌ାରେ ବହୁ ବିଳମ୍ବ ହୋଇଥିଲା। ପରେ ଆଠମଲ୍ଲିକ ରାଜସ୍ବ ନିରୀକ୍ଷକ ରଶ୍ମିରଞ୍ଜନ ହୋତା, ଠାକୁରଗଡ଼ ରାଜସ୍ବ ନିରୀକ୍ଷକ ବିଶ୍ବଜିତ୍ ମୁଦୁଲି ପ୍ରମୁଖ ସେଠାରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ପ୍ରଶାସନ ପକ୍ଷରୁ ଜରିପାଲ, ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର