ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ମଙ୍ଗଳବାର ଦିନ ୧୨୦୫ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ନିଯୁକ୍ତି ପର୍ବ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୬ବର୍ଷ ଭିତରେ ରାଜ୍ୟ ସରକାର ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପିଜି ଇନଷ୍ଟିଚ୍ୟୁଷ୍ଟ୍ ପ୍ରତିଷ୍ଠା କରିଛନ୍ତି। ଏବେ ପ୍ରତିବର୍ଷ ୨୨ଶହ ଏମ୍ବିବିଏସ୍ ଡାକ୍ତର ଓ ୮୨୬ଜଣ ବିଶେଷଜ୍ଞ ଡାକ୍ତର ବାହାରୁଛନ୍ତି। ଗତ ୪ବର୍ଷ ଭିତରେ ରାଜ୍ୟ ସରକାର ୪୫ଶହ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଆଉ ୫ହଜାର ଡାକ୍ତରୀ ପଦବି ସୃଷ୍ଟି କରାଯାଇଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ଏମ୍ବିବିଏସ୍ ଡାକ୍ତର ପଦବି ପୂରଣ ହେବ। ଆସନ୍ତାବର୍ଷଠାରୁ ଓଡ଼ିଶା ଏକ ଡାକ୍ତର ବଳକା ରାଜ୍ୟଭାବେ ପରିଗଣିତ ହେବ। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଜରିଆରେ ଦେଶବ୍ୟାପୀ ଖ୍ୟାତନାମା ଡାକ୍ତରଖାନାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ଏଥିପାଇଁ ପ୍ରତିମାସରେ ୧ଲକ୍ଷ ଲୋକଙ୍କ ଚିକିତ୍ସା ବାବଦରେ ୨୨୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନୂଆ ଡାକ୍ତରଙ୍କ ନିଯୁକ୍ତି ଫଳରେ ରାଜ୍ୟର ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ ସୁଧାର ଆସିବ।
/sambad/media/post_attachments/wp-content/uploads/2023/06/m21-750x430.jpg)
ମୁଖ୍ୟମନ୍ତ୍ରୀ ବାଲେଶ୍ବରରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଏହି ଘଟଣା ଦେଶ ସମେତ ବିଶ୍ବକୁ ସ୍ତବ୍ଧ କରି ଦେଇଛି। ମାତ୍ର ଏହା ଓଡ଼ିଶା ଲୋକଙ୍କ ଦୟା ଓ ମାନବିକତାକୁ ଦର୍ଶାଇଛି। କେବଳ ଏତିକି ନୁହେଁ, ସଙ୍କଟ ସମୟରେ ପରିସ୍ଥିତିର କିପରି ମୁକାବିଲା କରାଯାଇପାରେ, ତାହା ନିଜର ଶକ୍ତି ଓ ସାମର୍ଥ୍ୟ ମାଧ୍ୟମରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। ଡାକ୍ତର, ମେଡିକାଲ ଛାତ୍ର ଓ ସାଧାରଣଙ୍କ ମନରେ କେବଳ ଗୋଟିଏ କଥା ଥିଲା ‘ଚାଲ ଜୀବନ ବଞ୍ଚାଇବା’। ରକ୍ତ ଦାନ ପାଇଁ ସ୍ଥାନୀୟ ଲୋକ ଲମ୍ବା ଧାଡ଼ିରେ ଅପେକ୍ଷା କରିବାର ଦୃଶ୍ୟ ବିରଳ ମାତ୍ର ଅମୂଲ୍ୟ। ଓଡ଼ିଶାର ଲୋକ ଓ ଓଡ଼ିଶା ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ଘଟଣା ଖବର ପାଇ ରାଜ୍ୟ ପ୍ରଶାସନ ତତ୍ପର ହୋଇ କିପରି ଆବଶ୍ୟକ ପଦକ୍ଷେପ ନେଲା ତାହା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଟି-୫ ଏଠାରେ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା।
ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ମନ୍ତ୍ର ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତନ ଆଣିପାରିଛି ବୋଲି ଶ୍ରୀ ପୂଜାରୀ କହିଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ପି.କେ ଜେନା , ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/m20-1.jpg)