କଟକ: ରାଜ୍ୟରେ ଟ୍ରାଫିକ ନିୟମ ମାନିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନାହାନ୍ତି ଗାଡ଼ିଚାଳକ। ଗଲା ଚାରି ବର୍ଷ ଭିତରେ ରାଜ୍ୟରେ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ମୋଟ ୧୨୧୫ କୋଟି ଟଙ୍କାର ଚାଲାଣ ଗାଡ଼ି ମାଲିକମାନେ ଜମା କରିନାହାନ୍ତି। ଏନେଇ ସେମାନଙ୍କୁ ସମନ୍ ଯାଇଥିବା ସତ୍ତ୍ବେ ଜମା ନ କରିବା ଘଟଣାକୁ ନେଇ ପରିବହନ ବିଭାଗ ଚିନ୍ତାରେ ପଡ଼ିଯାଇଛି। ସେଥିପାଇଁ ବାଧ୍ୟ ହେଇ ଏହି ଅର୍ଥ ଛାଡ଼ କରିବାକୁ ବିଚାରବିମର୍ଷ କରି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଛି। 

Advertisment

ସୂଚନା ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଚିନ୍ତାଜନକ ହୋଇଥିବା ବେଳେ ଏହାକୁ ରୋକିବାକୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଖିଲାପୀଙ୍କ ବିରୋଧରେ ଜରିମାନା କଡ଼ାକଡ଼ି କରିବାକୁ ଉଭୟ ପରିବହନ ବିଭାଗ ଓ ଓଡ଼ିଶା ପୁଲିସ ପକ୍ଷରୁ କସରତ କରାଯାଉଛି। କିନ୍ତୁ ଏହି ଜରିମାନା ଅର୍ଥ ବି ଗାଡ଼ି ମାଲିକମାନେ ଜମା କରୁନାହାନ୍ତି। ପରିବହନ ବିଭାଗର ତଥ୍ୟ ମୁତାବକ, ରାଜ୍ୟରେ ୨୦୨୧ରେ ୧୦ ହଜାର ୯୮୪ଟି ଦୁର୍ଘଟଣା ଘଟିଥିଲା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ରେ ୧୧ ହଜାର ୬୬୩ଟି ଦୁର୍ଘଟଣା ଘଟିଥିଲା ବେଳେ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୩ରେ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୯୯୨ଟି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫ ହଜାର ୭୩୯ଟି ହୋଇଛି। ଗ୍ରାମାଞ୍ଚଳରେ ୬୦ ପ୍ରତିଶତ ଦୁର୍ଘଟଣା ଘଟିଛି। ରାଜ୍ୟରେ ଘଟିଥିବା ମୋଟ ଦୁର୍ଘଟଣାର ୭୦ ପ୍ରତିଶତ କେବଳ ଯୁବଗୋଷ୍ଠୀଙ୍କର ହୋଇଥିବାରୁ ପରିବହନ ବିଭାଗର ରିପୋର୍ଟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗଲା ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ୪୫ ହଜାର ଚାଳକଙ୍କ ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଗାଡ଼ି ମାଲିକମାନେ ଚାଲାଣ ଜମା କରିବାକୁ ଲୁଚିବା ବି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

ଜରିମାନା ଦେବାକୁ ପ୍ରସ୍ତୁତ ନୁହନ୍ତି ଗାଡ଼ି ମାଲିକ
କଟାଯାଇଛି ୩୦ ଲକ୍ଷ ଚାଲାଣ; ଯିବ ଇ-ସମନ୍
ଵାନ୍ ଟାଇମ୍ ସେଟଲ୍‌ମେଣ୍ଟ ପାଇଁ ସରକାରଙ୍କୁ ପ୍ରସ୍ତାବ

୨୦୨୦ ଜାନୁଆରିରୁ ୨୦୨୪ ମେ ଯାଏ ରାଜ୍ୟରେ ମୋଟ ୨୯ ଲକ୍ଷ ୭୭ ହଜାର ୭୧୭ଟି ଚାଲାଣ ପରିବହନ ବିଭାଗ ଓ କୋର୍ଟରେ ପଡ଼ିରହିଛି। କୋର୍ଟରୁ ବି ଚାଳକଙ୍କ ନିକଟକୁ ସମନ୍ ଯାଇଛି। ଏହି ଚାଲାଣ ବାବଦ ଅର୍ଥ ୧୨୧୫ କୋଟି ଟଙ୍କା ଗାଡ଼ି ମାଲିକମାନେ ଏଯାଏ ପୈଠ କରିନାହାନ୍ତି। ଏହି ଟଙ୍କା ଜମା ହେଉନଥିବାରୁ ଵାନ୍ ଟାଇମ୍ ସେଟଲ୍‌ମେଣ୍ଟ(ଓଟିଏସ୍) ମାଧ୍ୟମରେ ଟଙ୍କା ଆଦାୟ ପାଇଁ ପରିବହନ ବିଭାଗ ଯୋଜନା କରୁଛି। ମୋଟ ଜରିମାନା ରାଶିର ୩୦ରୁ ୪୦ ପ୍ରତିଶତ ଦେବାକୁ ପରିବହନ ବିଭାଗ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାରଙ୍କ ତହବିଲକୁ ପାଖାପାଖି ୫୫୦ କୋଟି ଟଙ୍କା ଆସିବା ନେଇ ପରିବହନ ବିଭାଗ ପକ୍ଷରୁ ଆକଳନ କରାଯାଉଛି। 

ମୋଟର ଯାନ ଆଇନରେ ସର୍ବନିମ୍ନ ୫୦୦ ଟଙ୍କାରୁ ସର୍ବାଧିକ ୬୦ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯାଉଛି। ଭୁଲ ରାସ୍ତାରେ ଗାଡ଼ି ଚଳାଇବା, ହେଲମେଟ୍ କିମ୍ବା ସିଟ୍‌ ବେଲଟ୍ ନିପିନ୍ଧିଲେ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। ସେହିଭଳି ଓଭରଲୋଡିଂ ହେଲେ ୬୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ ହେଉଛି। ଗାଡ଼ିର ଉଚ୍ଚତା ବଢ଼ାଇଲେ ୨୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯାଉଛି। ଉପରୋକ୍ତ ୨୯ ଲକ୍ଷ ୭୭ ହଜାର ୭୧୭ଟି ଚାଲାଣରେ ଅଧିକାଂଶ ହେଲମେଟ୍ ନପିନ୍ଧିବା, ନିଶା ସେବନ କରି ଗାଡ଼ି ଚଳାଇବା ଓ ଭୁଲ ରାସ୍ତାରେ ଗାଡ଼ି ଚଳାଇବା ଅନ୍ତର୍ଭୁକ୍ତ ରହିଛି। ଏହି ଚାଲାଣ ବ୍ୟବସ୍ଥାକୁ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରିବାକୁ ପରିବହନ ବିଭାଗ ଇଲେକ୍ଟ୍ରୋନିକ୍ ସମନ୍ ବା ଇ-ସମନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି। ଏବେ ଚାଲାଣ କଟିଥିବାର ମେସେଜ୍ ଖିଲାପୀ ଗାଡ଼ିଚାଳକଙ୍କ ମୋବାଇଲ ଫୋନ୍‌କୁ ଯାଉଛି। ଇ-ସମନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କୋର୍ଟରୁ ସିଧାସଳଖ ସମନ୍ ଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।