ବିଜେପୁରକୁ ୧୨୪୬ କୋଟି, ଉଠା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ୍‌ ମୋହର

୫ ବର୍ଷରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ, ଭୁବନେଶ୍ୱରରେ ପୁଣି ସ୍ୱେରେଜ୍‌ କାମ ଆରମ୍ଭ ହେବ

ଭୁବନେଶ୍ୱର: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ କରାଯାଇଥିବା ବିଜେପୁର ଉଠା ଜଳସେଚନ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି। ଏହି ପ୍ରକଳ୍ପକୁ ଅନୁମୋଦନ ମିଳିବ ବୋଲି ଆଶା ରଖି ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଘୋଷଣା କରିଥିଲେ। ଏହା ସହିତ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ପୁରୁଣା ଭୁବନେଶ୍ୱର ସଂଲଗ୍ନ ଅଞ୍ଚଳରେ ସ୍ୱେରେଜ୍‌ ନିର୍ମାଣ ପାଇଁ ସାନି ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏଭଳି ମୋଟ ତିନିଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଜେପୁର ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସରକାରଙ୍କ ଏହି ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି।
ବିଜେପୁର ଉଠା ଜଳସେଚନ ପ୍ରକଳ୍ପ ସଂପର୍କରେ ଆଜି ଗଣମାଧ୍ୟମକୁ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସୂଚନା ଦେଇଥିଲେ। ସେ କହିଥିଲେ, ୨୦୧୧-୧୨ରୁ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି। ଏଯାଏ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ଏଥିମଧ୍ୟରୁ ୬୫ଟି ପ୍ରକଳ୍ପ ଶେଷ ହେବ ବୋଲି ଆଶା କରାଯାଉଛି। ଏହି କ୍ରମରେ ବିଜେପୁର, ସୋହେଲା ଓ ବରପାଲିକୁ ନେଇ ଭୂତଳ ଉଠାଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଛି, ଯାହା ମାଧ୍ୟମରେ ଏସବୁ ଅଞ୍ଚଳର ୩୨ ହଜାର ହେକ୍ଟର ଉଚ୍ଚ ଜମିକୁ ଜଳସେଚିତ କରାଯାଇପାରିବ। ୨୦୧୬ରେ ଏହାର ସର୍ଭେ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ୧୨୪୬ କୋଟି ୫୬ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଓ ୫ବର୍ଷ ମଧ୍ୟରେ ଏହା ଶେଷ କରାଯାଇ କାର୍ଯ୍ୟକ୍ଷମ କରାଯିବାର ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ କହିଥିଲେ, ହୀରାକୁଦ ଜଳଭଣ୍ଡାରର ଜଳକୁ ବରଗଡ଼ ମୁଖ୍ୟ କେନାଲର ୩୪.୧୦ କିଲୋମିଟର ଦୂରସ୍ଥ ଟେଙ୍ଗରା ଗ୍ରାମ
ନିକଟରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଦ୍ୱାରା ଉଠାଯିବ। ପରେ ୧୭.୬୪ କିଲୋମିଟର ଲମ୍ବ ରାଇଜିଂ ମେନ୍‌ ପାଇପ୍‌ ମାଧ୍ୟମରେ ନିଆଯାଇ ବରିହାପାଲିଠାରେ ଏକ ଦ୍ୱିତୀୟ ଉପଜଳ ଭଣ୍ଡାର ସୃଷ୍ଟି କରାଯିବ। ଏହିଠାରୁ ଗ୍ରାଭିଟି ଓ ପ୍ରେସର୍‌ ଭୂତଳପାଇପ୍‌ ମାଧ୍ୟମରେ ପ୍ରତି ଚାରି ହେକ୍ଟର ବା ଏକ ହେକ୍ଟର ଚକରେ ଥିବା ଆଉଟ୍‌ଲେଟ୍‌ ମାଧ୍ୟମରେ ଚକ ଜମିକୁ ଜଳ ଯୋଗାଣ ହେବ। ଏହାବ୍ୟତୀତ ସର୍ବନିମ୍ନ ୩୦ ପ୍ରତିଶତ ଉଚ୍ଚ ଜମିକୁ ବୁନ୍ଦା ବା ସିଞ୍ଚନ ପ୍ରକ୍ରିୟା ଦ୍ୱାରା ଜଳସେଚନ ଯୋଗାଇ ଦେବାର ବ୍ୟବସ୍ଥା ହେବ। ଏହି ପ୍ରକଳ୍ପ ଇପିସି ବା ଇଞ୍ଜିନିୟରିଂ, ପ୍ରୋକ୍ୟୋରମେଣ୍ଟ ଓ କନଷ୍ଟ୍ରକ୍‌ସନ୍‌ ଠିକା ପ୍ରଣାଳୀ ମାଧ୍ୟମରେ କରାଯିବ।

ହୀରାକୁଦ ଜଳଭଣ୍ଡାରର ଜଳକୁ ବରଗଡ଼ ମୁଖ୍ୟ କେନାଲର ୩୪.୧୦ କିଲୋମିଟର ଦୂରସ୍ଥ ଟେଙ୍ଗରା ଗ୍ରାମ ନିକଟରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଦ୍ୱାରା ଉଠାଯିବ। ପରେ ୧୭.୬୪ କିଲୋମିଟର ଲମ୍ବ ରାଇଜିଂ ମେନ୍‌ ପାଇପ୍‌ ମାଧ୍ୟମରେ ନିଆଯାଇ ବରିହାପାଲିଠାରେ ଏକ ଦ୍ୱିତୀୟ ଉପଜଳ ଭଣ୍ଡାର ସୃଷ୍ଟି କରାଯିବ।

କ୍ୟାବିଟେନ୍‌ରେ ଗତ ବିଧାନସଭା ଅଧିବେଶନ ସତ୍ରାବସାନକୁ ମଞ୍ଜୁରି ମିଳିଥିଲା। ସେହିପରି ସ୍ୱେରେଜ୍‌ ବ୍ୟବସ୍ଥା ନିର୍ମାଣ ସଂପର୍କିତ ଟେଣ୍ଡର ଅନୁମୋଦନ ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ସ୍ୱେରେଜ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଭୁବନେଶ୍ୱର ସହରକୁ ସମୁଦାୟ ୬ଟି ସ୍ୱେରେଜ୍‌ ଜିଲ୍ଲାରେ ବିଭକ୍ତ କରାଯାଇଛି। ଏହି କ୍ରମରେ ଜିଲ୍ଲା ୧ ଓ ୨ରେ ଦ୍ୱାଦଶ ଅର୍ଥ କମିସନଙ୍କ ଅନୁଦାନ ମାଧ୍ୟମରେ ସ୍ୱେରେଜ୍‌ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି। ପୂର୍ବରୁ ଏହି ଅଞ୍ଚଳରେ ସ୍ୱେରେଜ୍‌ ଲାଇନ୍‌ ବିଛାଇବା ପାଇଁ ୧୩୬ କୋଟି ଟଙ୍କା ବ୍ୟୟରେ ଚେନ୍ନାଇର ମେସର୍ସ ଇସିସିଆଇ ଲିମିଟେଡ୍‌ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ମାତ୍ର ପରେ ଏହି ଚୁକ୍ତିକୁ ସରକାର ବାତିଲ୍‌ କରିଥିଲେ। ଏହା ବିରୋଧରେ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି କୋର୍ଟ ଗତ ସେପ୍‌ଟେମ୍ବର ୨୨ ତାରିଖ ଦିନ ସ୍ୱେରେଜ୍‌ ଜିଲ୍ଲା ୨ କାର୍ଯ୍ୟାରମ୍ଭ ପାଇଁ ସବୁଜ ସଙ୍କେତ ଦେଇଥିଲେ।

ଏହି କ୍ରମରେ ସ୍ୱେରେଜ୍‌-୨ ଦାୟିତ୍ୱ ମେସର୍ସ ଲକ୍ଷ୍ମୀ କନଷ୍ଟ୍ରକସନ୍‌ଙ୍କୁ ଦିଆଯାଇଛି। ଏହି ସଂସ୍ଥା ୧୭୩ କୋଟି ୮ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରିବ। ଏଥିରେ ୨୭.୧୮ କିଲୋମିଟର ସ୍ୱେରେଜ୍‌ ଲାଇନ୍‌ ବିଛାଯିବ ଓ ୨୮ ନିୟୁତ ଲିଟର ଦୂଷିତ ଜଳ ବିଶୋଧନ ପାଇଁ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ବାସୁଆଘାଇ ନିକଟରେ କରାଯିବ। ୩ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ସଂସ୍ଥା ସମୟ ନେଇଛି। ବିଭାଗ କହିଛି, ସ୍ୱେରେଜ୍‌ ଜିଲ୍ଲା ୨ର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୨୦୪୧ ମସିହା ସୁଦ୍ଧା ୨ଲକ୍ଷ ୮୨ହଜାର ବାସିନ୍ଦା ଉପକୃତ ହେବେ।

ସମ୍ବନ୍ଧିତ ଖବର