ପ୍ରଥମ ଦିନରେ ଟିକା ନେଲେ ୧୨୮୪ ଗର୍ଭବତୀ

ଭୁବନେଶ୍ବର : ରାଜ୍ୟରେ ଶୁକ୍ରବାରଠାରୁ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୨୮୪ ଗର୍ଭବତୀଙ୍କୁ କରୋନା ଟିକା ଦିଆଯାଇଛି। ଗର୍ଭବତୀଙ୍କ ଟିକାକରଣ ପାଇଁ କୋ-ୱିନ୍ ପୋର୍ଟାଲରେ ସ୍ବତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି। ତେବେ ଟିକା‌ ଦେବା ପୂର୍ବରୁ ସେମାନଙ୍କ କାଉନସେଲିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବର୍ଷକୁ ୯ଲକ୍ଷ ଗର୍ଭବତୀ ମହିଳା ପଞ୍ଜୀକରଣ କରିଥାନ୍ତି। ସେଥିମଧ୍ୟରୁ ସାଢ଼େ ୪ଲକ୍ଷ ମହିଳାଙ୍କୁ ଏବେ ଟିକା ପାଇଁ ଠାବ କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଶୁକ୍ରବାର ଜୁଲାଇ ମାସରେ ୨୫ଲକ୍ଷ ୮ଶହ କୋଭିସିଲ୍‌ଡ ଟିକା ଆବଣ୍ଟିତ ହୋଇଛି। ସେଥିରୁ ୧୬ଲକ୍ଷ ୯୪ହଜାର ୯୮୦ ଡୋଜ୍ ରାଜ୍ୟକୁ ମିଳିସାରିଛି। ସେହିପରି ଚଳିତମାସ ପାଇଁ ୫ଲକ୍ଷ ୪୦ହଜାର ୧୧୦ ଡୋଜ୍ କୋଭାକ୍ସିନ୍ ଆବଣ୍ଟିତ ହୋଇଥିଲା। ତହିଁରୁ ୩ଲକ୍ଷ ୬୨ହଜାର ୧୦ଡୋଜ୍ ମିଳିସାରିଛି। ରାଜ୍ୟରେ ଆଉ ୫ଲକ୍ଷ କୋଭିସିଲ୍‌ଡ ଟିକା ଆସିଛି। ଏବେ ରାଜ୍ୟ ନିକଟରେ ୮ଲକ୍ଷ ୮୬ହଜାର କୋଭିସିଲ୍‌ଡ ଓ ୧ଲକ୍ଷ ୪୪ହଜାର ୯୮୦ ଡୋଜ୍ କୋଭାକ୍ସିନ୍ ମହଜୁଦ ରହିଛି। ଏବେ ପ୍ରଥମ ଡୋଜ୍ ଅପେକ୍ଷା ଦ୍ବିତୀୟ ‌ଡୋଜ୍‌କୁ ଅଧିକ ପ୍ରାଥମିକତା ଦିଆଯାଉଛି। ୭୦ ପ୍ରତିଶତ ଟିକା ଦ୍ବିତୀୟ ଡୋଜ୍ ପାଇଁ ଓ ୩୦ ପ୍ରତିଶତ ଟିକା ପ୍ରଥମ ଡୋଜ୍ ପାଇଁ ଦିଆଯିବ ବୋଲି ବିଭାଗ ସ୍ପଷ୍ଟ କରାଯାଇଛି।  ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ‌ସୋନପୁର ଜିଲ୍ଲାରେ ଟିକା ଦିଆଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟରେ ୭୦୩ ଟିକାକରଣ ଅଧିବେଶନରେ ୧ଲକ୍ଷ ୨୧ହଜାର ୬୨୨ ‌ଡୋଜ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୯ଲକ୍ଷ ୩୧ହଜାର ୩୭୮ ଡୋଜ୍ ଟିକା ଦିଆଗଲାଣି।

ସମ୍ବନ୍ଧିତ ଖବର