ଭୁବନେଶ୍ବର: ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜୟନ୍ତୀ କମିଟିର ସାଧାରଣ ସଂପାଦକ ବିଧାୟକ ସୁରେଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯୋଗଦେଇଥିଲେ।
ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ କହିଥିଲେ, ସ୍ବାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସ୍ବର୍ଗତ ମହତାବଙ୍କ ବଳିଷ୍ଠ ଭୂମିକା ଥିଲା। ମହତାବ ଥିଲେ ମଣିଷ ତିଆରି କାରଖାନା। ତାଙ୍କର ଆଶୀର୍ବାଦରେ ରାଜ୍ୟରେ ଅନେକ ଲୋକ ସମାଜସେବା, ରାଜନୀତି, ଶିକ୍ଷା, ବାଣିଜ୍ୟ ଓ ସାହିତ୍ୟ କ୍ଷେତ୍ରରେ ବହୁ ପ୍ରତିଷ୍ଠା ଲାଭ କରିଛନ୍ତି। ଜୀବନକାଳ ଭିତରେ ଓଡ଼ିଶାର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟପାଳ ଭଳି କ୍ଷମତାପ୍ରାପ୍ତ ହୋଇଥିଲେ, ମାତ୍ର ଏସବୁ କ୍ଷମତା ତାଙ୍କର ଅସାଧାରଣ ବ୍ୟକ୍ତିତ୍ବ ଆଗରେ ନିଷ୍ପ୍ରଭ ଥିଲା। ରାଜଧାନୀ ଭୁବନେଶ୍ବର, ହୀରାକୁଦ ବନ୍ଧ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ହାଇକୋର୍ଟ, ଉତ୍କଳ ବିଶ୍ବବିଦ୍ୟାଳୟ ଓ କଟକ ବେତାର କେନ୍ଦ୍ର ପ୍ରଭୃତି ମହତାବଙ୍କ ଅବଦାନ। ମୁଖ୍ୟ ଅତିଥି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ସ୍ବର୍ଗତ ମହତାବ ଓଡ଼ିଆ ଜାତି ପାଇଁ ଚିରନମସ୍ୟ। ଓଡ଼ିଶା ରାଜନୀତି, ବିକାଶ ଓ ଇଂରେଜମାନଙ୍କ ବିରୋଧରେ ସ୍ବାଧୀନତା ସଂଗ୍ରାମ ପ୍ରଭୃତିରେ ମହତାବଙ୍କ ନେତୃତ୍ବ ଥିଲା ଅତୁଳନୀୟ। ତାଙ୍କର ମୁଖ୍ୟମନ୍ତ୍ରୀତ୍ବ ସମୟରେ କୃଷି, ଶିକ୍ଷା ଓ କର୍ମଯୋଗାଣ କ୍ଷେତ୍ରକୁ ଅଧିକ ପ୍ରଧାନ୍ୟ ଦେଇଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ମହତାବଙ୍କ ଉଦ୍ୟମ ଫଳରେ ୨୬ଟି ଗଡ଼ଜାତ ରାଜ୍ୟର ମିଶ୍ରଣ ଓଡ଼ିଶା ସହିତ ହୋଇପାରିଥିଲା।
ଜୟନ୍ତୀ କମିଟିର ସାଧାରଣ ସଂପାଦକ ସୁରେଶ ରାଉତରାୟ କହିଥିଲେ, ଭୁବନେଶ୍ବର ଉପକଣ୍ଠରେ ଅବସ୍ଥିତ କଳିଙ୍ଗବିହାର ପାର୍କକୁ ମହତାବଙ୍କ ନାମରେ ନାମିତ କରାଯାଉ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ମହତାବଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର, ରାଜନୀତି, ସାମ୍ବାଦିକତା, ପ୍ରଶାସନ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ୫୬ଜଣ ପାଇକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗ୍ରାମ କେଶରୀ ପାଇକରାୟ, କିଶୋର ଜେନା, ପ୍ରକାଶ ମହାନ୍ତି, ୟାସିର ନୱାଜ, ପ୍ରକାଶ ଜେନା, ସୁନୀଲ ରାଉତରାୟ, ସନତ ମିଶ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ। ଏହି ଅବସରରେ ପିଏମ୍ଜିଠାରୁ ଏକ ପାଇକ ଆଖଡ଼ା ଶୋଭାଯାତ୍ରା ବାହାରିଥିଲା। ପାଇକ ଦଳ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା, ବାଡ଼ି ଖେଳ ପ୍ରଦର୍ଶନ କରି ରାମେଶ୍ୱରପାଟଣାରେ ପହଞ୍ଚିଥିଲେ।