୧୨୫ ଉତ୍ତେଜନାପ୍ରବଣ ବୁଥ୍‌ , ଜଗିବେ ୧୫ ପ୍ଲାଟୁନ ଫୋର୍ସ

୩ ପୌରପାଳିକା, ୨ ଏନ୍‌ଏସିରେ  ସରିଲା ପ୍ରଚାର, କାଲି ଭାଗ୍ୟ ନିର୍ଦ୍ଧାରଣ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ୩ ପୌରପାଳିକା ଏବଂ ୨ ଏନ୍‌ଏସି ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଅଭିଯାନ ଶେଷ ହୋଇଛି। ଏଥର ପୌରାଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିବାକୁ ମିଳିଛି। ଡାକବାଜି ଯନ୍ତ୍ର ଏବଂ ଘରକୁ ଘର ବୁଲି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ ଚେଷ୍ଟା କରିଛନ୍ତି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାରକମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ସଂଧ୍ୟା ସୁଦ୍ଧା ପ୍ରଚାର ଅଭିଯାନ ଶେଷ ହେବା ପରେ ନେତାମାନେ ନିଜ ଅଞ୍ଚଳକୁ ବାହୁଡ଼ି ଆସିଛନ୍ତି। ଦିନକ ପରେ ଅର୍ଥାତ୍‌ ୨୪ ତାରିଖ ଦିନ ନିର୍ବାଚନ ହେବ ଏବଂ ଆସନ୍ତା ୨୬ ତାରିଖରେ ଭୋଟ୍‍ ଗଣତି ହେବ। ଏଥିପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ବାଲେଶ୍ବର, ସୋର, ଜଳେଶ୍ବର ପୌରପାଳିକା ସମେତ ରେମୁଣା ଓ ନୀଳଗିରି ଏନ୍‌ଏସିରେ ୨୧୧ଟି ମତଦାନ କେନ୍ଦ୍ର ରହିଥିବା ବେଳେ ୧୨୫ଟି ଉତ୍ତେଜନାପ୍ରବଣ ମତଦାନ କେନ୍ଦ୍ର ରହିଛି। ଏଥିପାଇଁ ୭ ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତି କରାଯିବା ସହ ୨୬ଟି ମୋବାଇଲ ପାର୍ଟି ଗଠନ କରାଯାଇଛି।

ବୁଧବାର ସମସ୍ତ ବୁଥ୍‌କେନ୍ଦ୍ରକୁ ପୁଲିଂ କର୍ମଚାରୀମାନେ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ ଧରି ବାହାରିବେ। ପ୍ରତି ବୁଥ୍‌ରେ ଜଣେ ସୁରକ୍ଷାକର୍ମୀଙ୍କ ସହ ୫ ଜଣ ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ଅବାଧ କରିବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ୩୩ଟି ନାକା ପଏଣ୍ଟ୍‌ କରାଯାଇ ଯେକୌଣସି ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ସେହିପରି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦୩ ଜଣ ପୁଲିସ ଅଧିକାରୀଙ୍କ ସମେତ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସଙ୍କୁ ଆଲର୍ଟ ରଖାଯାଇଛି। ସେଥିରେ ୩ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୧୪ ଜଣ ଇନ୍ସପେକ୍ଟର, ୭୭ ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର