କ୍ରୀଡ଼ା ମଇଦାନରେ ଲଢ଼ିବେ ୧୫ ବିଶ୍ବବିଦ୍ୟାଳୟର ୧୨୫୦ ପ୍ରତିଯୋଗୀ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପକ୍ଷରୁ ବାରିପଦାରେ ଆଜିଠାରୁ ଆରମ୍ଭ ହୋଇଛି ଆନ୍ତଃ ବିଶ୍ବବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା। ଆଜି ସକାଳେ ବାରିପଦା ବାରିପଦା ଷ୍ଟାଡ଼ିୟମ୍ ପଡ଼ିଆରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେଇ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ।

କୋଭିଡ୍‌ ପରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ପାଠ୍ୟକ୍ରମ ସହ ଅତିରିକ୍ତ କାର୍ଯ୍ୟକଳାପରେ ନିୟୋଜିତ କରିବା ସହ ସେମାନଙ୍କୁ ମାନସିକସ୍ତରରେ ସତେଜ ରଖିବାକୁ ଏହି ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିବା କହିଥିଲେ ଶ୍ରୀ ମିଶ୍ର। ଏହାଦ୍ବାରା ପିଲାଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବାସହ ଓ ବିଶ୍ଵବିଦ୍ୟାଳୟସ୍ତରରୁ କ୍ରୀଡ଼ା ପ୍ରତିଭାମାନେ ଚିହ୍ନଟ ହୋଇ ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ଖେଳିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ।

ମୟୂରଭଞ୍ଜ ଭଳି ଏକ ଉପାନ୍ତ ଜିଲ୍ଲାରେ ଏଭଳି ପ୍ରତିଯୋଗିତା ଆୟୋଜନ କରିବାକୁ ସୁଯୋଗ ମିଳିଥିବାରୁ ଓ ଏହର ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସିଥିବାରୁ ସାଧୁବାଦ ଜଣାଇଥିଲେ କୁଳପତି ଶ୍ରୀ ବସା। କୁଳସଚିବ ସହଦେବ ସମାଧିଆ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ଅନୀଲ୍‌ କୁମାର ବିଶ୍ୱାଳ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରରିଷଦର ସଂପାଦକ ଡ. ଇନ୍ଦ୍ରଜିତ ନାୟକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ମୟୂରଭଞ୍ଜ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ଉମେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏଥିସହ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, କିଟ୍ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୧୨୫୦ ପ୍ରତିଯୋଗୀ, ୧୦୦ ଜଣ ମ୍ୟାନେଜର ଓ ୧୦୦ ଜଣ ମ୍ୟାଚ୍ ଅଧିକାରୀ ଉପସ୍ଥିତ ଥିଲେ। ୯ ପ୍ରକାର ଖେଳକୁ ନେଇ ଆରମ୍ଭ ହୋଇଥିବା କ୍ରୀଡ଼ାର ଏହି ମାହାକୁମ୍ଭ ଆସନ୍ତା ୧୪ ତାରିଖ ଯାଏ ଚାଲିବ।

ସମ୍ବନ୍ଧିତ ଖବର