ବିଜେବି ଉଚ୍ଚ ବିଦ୍ୟାଳୟର ୧୨୫ତମ ଜୟନ୍ତୀ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ରାଜ୍ୟର ଅନ୍ୟତମ ପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚବିଦ୍ୟାଳୟ ନିଜର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏନେଇ ବିଦ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ଶେଷ ସପ୍ତାହରେ ଏହି ଜୟନ୍ତୀ ପାଳିବାକୁ ନିଷ୍ପତ୍ତି ହୋଇଛି ।

ବୈଠକରେ ପୁରାତନ ଛାତ୍ର ସଂସଦର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଧାନଶିକ୍ଷକ ସେକ୍ ଗହର ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିଲେ । ସଂଯୋଜକ ଦେବପ୍ରସାଦ ମଜୁମଦାର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ତଥ୍ୟ ରଖିଥିଲେ । ଡିସେମ୍ବର ଶେଷ ସପ୍ତାହରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ସହ ୩ଦିନ ଧରି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍କୁଲରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ଅକ୍ଟୋବର ୨୦ ତାରିଖ ସୁଦ୍ଧା ଶେଷ କରିବା, ଆଗାମୀ ବୈଠକରେ ସବ୍କମିଟି ଗଠନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରିବା ଆଦି ନେଇ ଆଲୋଚନା ହୋଇଥିଲା । ପୂର୍ବତନ ବାୟୁସେନା ଅଧିକାରୀ ଜ୍ୟୋତି ନାରାୟଣ ବର୍ମନ ନିଜର ପିତାଙ୍କ ସ୍ମୃତିରେ ବିଦ୍ୟାଳୟ ଉନ୍ନୟନ ପାଇଁ ମୋ ସ୍କୁଲ ପାଣ୍ଠୀକୁ ୫୦ହଜାର ଟଙ୍କା ଦାନ ଦେଇଥିଲେ ।

ନାରାୟଣ ରାଓ, ପ୍ରମୋଦ କୁମାର ମେକାପ, ଡ ବିଜୟ କୁମାର ପଟ୍ଟନାୟକ, ଡା ରାଜେନ୍ଦ୍ର କୁମାର ସାମନ୍ତରାୟ, ବୈକୁଣ୍ଠନାଥ ରାଜଗୁରୁ, ଦିଲିପ ପଟ୍ଟନାୟକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏନେଇ ପୁରାତନ ଛାତ୍ର ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଦାସ କହିଛନ୍ତି ଯେ ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହେବ । ଏଥିରେ ଲେଖା ପ୍ରକାଶ କରିବାକୁ ଚାହୁଁଥିବା ବ୍ୟକ୍ତି ଲେଖାର ନକଲ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କିମ୍ବା ସଫ୍ଟକପି ଇମେଲ୍ ଯୋଗେ ତାଙ୍କ ନିକଟକୁ ପଠାଇପାରିବେ । ବିମଳ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର