ଆଇଏନ୍‌ଏସ୍‌ ଚିଲିକା, କାଳିଜାଈ ପୀଠ ପରିଦର୍ଶନ କ‌େଲେ ୧୨୪ ବିଧାୟକ

ବାଲୁଗାଁ/ବ୍ରହ୍ମଗିରି: ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ବିଧାନସଭାର ୧୨୪ଜଣ ସଦସ୍ୟ( ମନ୍ତ୍ରୀ ଓ ବିଧାୟକଙ୍କ ସମେତ) ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଭୂତି ସାଉଣ୍ଟିଛନ୍ତି। ଏଥିସହିତ. କାଳିଜାଈ ପୀଠକୁ ଯାଇ ମା’ଙ୍କ ଦର୍ଶନ ଲାଭ କରିଛନ୍ତି।

ଆଜି ଦିନ ପ୍ରାୟ ୧୨ଟା ସମୟରେ ୪ଟି ବସ୍‌ ଯୋଗେ ବିଧାୟକମାନେ ବଡ଼କୁଳ ପାନ୍ଥନିବାସଠାରେ ପହଞ୍ଚିଥିଲେ। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବିକ୍ରମକେଶରୀ ଆରୁଖ ଏଥିରେ ସାମିଲ୍‌ ହୋଇଥିଲେ। ସେଠାରେ ଆଇଏନ୍‌ଏସ୍‌, ଚିଲିକାର କମାଣ୍ଡର ଏନ୍‌ପି ପ୍ରଦୀପ ଓ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତଙ୍କୁ ସ୍ବାଗତ କରିଥିଲେ। ପରେ, ବିଧାୟକମାନେ ୪ଟି ସ୍ୱତନ୍ତ୍ର ବୋଟ୍‌ରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ମଧ୍ୟରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କ ପୀଠକୁ ଯାଇଥିଲେ। ମା’ଙ୍କ ଦର୍ଶନ କରିବା ସହ ପୀଠକୁ ଯାତାୟାତ ପାଇଁ ଯେପରି ଅଧିକ ସୁବିଧା ମିଳିପାରିବ ଓ ପୀଠର ଉନ୍ନତି ହୋଇପାରିବ, ବାଚସ୍ପତି ଶ୍ରୀ ପାତ୍ର ସେ ସମ୍ପର୍କରେ ପର୍ଯ୍ୟଟନମନ୍ତ୍ରୀ ଶ୍ରୀପାଣିଗ୍ରାହୀଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ବିଧାୟକମାନେ ଆଇଏନ୍‌ଏସ୍‌ ଚିଲିକାରେ ପହଞ୍ଚଥିଲେ। ଆଇଏନ୍‌ଏସ୍‌ ଚିଲିକା ନୌସେନା ତାଲିମ କେନ୍ଦ୍ର ପରିସରରେ ଥିବା ଅପ୍‌ସରା ମଣ୍ଡପରେ ନୌସେନା କେନ୍ଦ୍ରରେ ତାଲିମ୍‌ ନେଉଥିବା ଶିକ୍ଷାନବୀସମାନଙ୍କ ସହ ମନ୍ତ୍ରୀ, ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସନ୍ଧ୍ୟା ସମୟରେ ସମସ୍ତେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର