ଭୁବନେଶ୍ବର: କେନାଲ ଅଛି, ହେଲେ ବିଲରେ ପାଣି ନାହିଁ। ମୁଖ୍ୟ କେନାଲରେ ପାଣି ଛାଡ଼ିଲେ ଶାଖା କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରୁନି। ଏହାକୁ ନଜରରେ ରଖି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୫ବର୍ଷରେ ୨୦୩୨କୋଟି ୯୨ଲକ୍ଷ ଟଙ୍କା ବ୍ୟୟରେ ୧୨୬୭କିମି ୮୨୦ମିଟରର କେନାଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରୁ ‘ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା’ ଆରମ୍ଭ ହେବ। ଏଥିରେ ମୋଟ୍ ୧୫୪ଟି ପ୍ରକଳ୍ପରେ କେନାଲ ନିର୍ମାଣ ହେବ। ପୂର୍ବରୁ ଅସମ୍ପୂର୍ଣ୍ଣ ଥିବା ୨୫ଟି ବୃହତ ଓ ମଧ୍ୟମ କେନାଲର ୨୮୭.୬୨କିମି ପାଇଁ ୬୪୦କୋଟି ୫୬ଲକ୍ଷ, ୨୨ଟି କ୍ଷୁଦ୍ର କେନାଲ ପ୍ରକଳ୍ପର ୧୪.୨୦କିମି ପାଇଁ ୨୪କୋଟି ୫୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍ ଆସନ୍ତା ୫ବର୍ଷରେ ୫୯ଟି ବୃହତ ଓ ମଧ୍ୟମ ଧରଣର କେନାଲର ୬୬୦.୨୮କିମି ନିର୍ମାଣ ପାଇଁ ୧୨୭୮କୋଟି ୧୬ଲକ୍ଷ, ୪୮ଟି କ୍ଷୁଦ୍ର କେନାଲର ୨୯୫.୩୪କିମି ନିର୍ମାଣ ପାଇଁ ୧୦୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ ୫ବର୍ଷରେ ଶେଷ ହେବାକୁ ଥିବା ଏହି ଯୋଜନାରେ ୨୦୨୩-୨୪ରେ ୨୦୦କିମି କେନାଲ ନିର୍ମାଣ ପାଇଁ ୨୭୦କୋଟି, ୨୦୨୪-୨୫ରେ ୩୫୦କିମି ପାଇଁ ୫୯୭.୧୯କୋଟି, ୨୦୨୫-୨୬ରେ ୩୭୦କିମି ପାଇଁ ୭୩୫.୨୪କୋଟି, ୨୦୨୬-୨୭ରେ ୨୦୦କିମି ପାଇଁ ୩୧୭.୨୩କୋଟି, ୨୦୨୭-୨୮ରେ ୧୪୭.୮୨କିମି ପାଇଁ ୧୧୩.୨୬କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।