ଭୁବନେଶ୍ବର: ଓଡ଼ିଶାର ୨୫ରୁ ଅଧିକ ଗଡ଼ଜାତ ରାଜ୍ୟକୁ ମିଶାଇବାରେ ଡ.ହରେକୃଷ୍ଣ ମହତାବଙ୍କ ଅବଦାନ ରହିଥିଲା। ତାଙ୍କ ପ୍ରଚେଷ୍ଟାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଦୂରଦୃଷ୍ଟିସଂପନ୍ନ ନେତୃତ୍ବ ଯୋଗୁ ଆଜି ଓଡ଼ିଶାର ବିକାଶ ସମ୍ଭବ ହୋଇଛି। ୨୦୩୬ ବିକଶିତ ଓଡ଼ିଶା ଓ ୨୦୪୭ ବିକଶିତ ଭାରତର ସ୍ବପ୍ନ ଦେଖିବାକୁ ବାଧ୍ୟ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୬ତମ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଡ. ମହତାବ ଓଡ଼ିଶାବାସୀଙ୍କ ପାଇଁ ଏକ ନାମ ନୁହନ୍ତି, ଏକ ଚିନ୍ତାଧାରା ଓ ପ୍ରେରଣା। ଗଡ଼ଜାତ ମିଶ୍ରଣ ହୋଇନଥିଲେ ଓଡ଼ିଶାର ଚିତ୍ର ଆଜି ଭିନ୍ନ ଥା’ଆନ୍ତା।
ମୁଖ୍ୟମନ୍ତ୍ରୀ କହିଥିଲେ, ହୀରାକୁଦ ନଦୀବନ୍ଧ, ରାଜଧାନୀ ଭୁବନେଶ୍ୱର, ରାଉରକେଲା ଇସ୍ପାତ କାରଖାନା, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, କଟକ ରେଡିଓ ଷ୍ଟେସନ୍ ଆଦି ଗୌରବମୟ କୀର୍ତ୍ତି ପଛରେ ଡ. ମହତାବଙ୍କ ସ୍ପର୍ଶ ଲୁଚି ରହିଛି। ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ନିରନ୍ତର ଏପରି ନେତାମାନଙ୍କଠାରୁ ଶକ୍ତି ପାଇଥାଉ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଡ.ମହତାବଙ୍କୁ ଶ୍ରେଷ୍ଠ ଭେଟି ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ ଭାରତ ବର୍ଷରେ ମହତାବଙ୍କ ଭଳି ବ୍ୟକ୍ତି ବିଶେଷ କେହି ନାହାନ୍ତି, ଯିଏ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ୫ଜଣ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି।
ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ବିଜୟକେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମହତାବଙ୍କ ଜୀବନୀ ଆଧାରିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଡ. ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତା ପ୍ରତଯୋଗିତାର କୃତୀ ପ୍ରତିଯୋଗୀ ଶୁଭଲକ୍ଷ୍ମୀ ପତି, ତପୁ ରାଉତ, ଜ୍ୟୋତିପ୍ରକାଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମହତାବ ଓ ପ୍ରଜାତନ୍ତ୍ର ସମ୍ପାଦକୀୟ’, ‘ମହତାବ ଜୟନ୍ତୀ ସ୍ମାରକୀ ୨୦୨୫’ ପୁସ୍ତକ ଉନ୍ମୋଚନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/22/fhjfshhfshfshf-2025-11-22-01-28-45.jpg)