ସାତକୋଶିଆରେ ୩୫ ଘଡ଼ିଆଳ ଶାବକଙ୍କ ଜନ୍ମ: ୪ ବର୍ଷରେ ଜନ୍ମନେଲେଣି ୧୨୮

ହରଭଙ୍ଗା: ସାତକୋଶିଆ ଗଣ୍ତ ଅଭୟାରଣ୍ୟର ବଳଦମଡ଼ା ନିକଟରେ ଗୁରୁବାର ଏକ ମାଈ ଘଡ଼ିଆଳ କୁମ୍ଭୀର ୩୫ ଶାବକକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ମାସରେ କୁମ୍ଭୀରଟି ଅଣ୍ତା ଦେଇଥିଲା। ଅଣ୍ତା ଦେବାର ଏକ ମାସ ପରେ ଛୁଆ ଫୁଟିବା କଥା। ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ତାରୁ ଛୁଆ ଫୁଟିବା ବିଳମ୍ବ ଘଟିଥିଲା। ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ବିଚଳିତ ହୋଇପଡ଼ିଥିଲା। ଗତ ୮ତାରିଖ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଟିମ୍‌ ସାତକୋଶିଆ ଗଣ୍ତ ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ଘଡ଼ିଆଳ ପ୍ରଜନନକୁ ଦୃଷ୍ଟିରେ ରଖି କୋର୍‌ ଏରିଆରେ ମାଛମରା, ଡଙ୍ଗା ଇତ୍ୟାଦି ଚଳାଚଳକୁ କଡ଼ାକଡ଼ି ବନ୍ଦ କରାଯାଇଥିଲା। ବିଳମ୍ବରେ ହେଉପଛେ ମାଈ ଘଡ଼ିଆଳ ୩୫ ଶାବକ ଜନ୍ମ ଦେବା ପରେ ସାତକୋଶିଆ ବନ୍ୟପ୍ରାଣୀ କର୍ମଚାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ଏନେଇ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବ୍ବାବଧାରକ ସୁଶାନ୍ତ ନନ୍ଦ ତାଙ୍କ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି। ପ୍ରକାଶ ଯେ, ସାତକୋଶିଆ ଗଣ୍ତ ଅଭୟାରଣ୍ୟର ମହାନଦୀ ବନ୍ୟପ୍ରାଣୀ ଅନୁଗୁଳ ବନଖଣ୍ତ ଅଧୀନରେ ଥିବା ଟିକରପଡ଼ାଠାରେ ୧୯୭୫ ମସିହାରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟଥିଲା ମହାନଦୀରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି। ଏଥିପାଇଁ ଟିକରପଡ଼ାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ବିଭିନ୍ନ ସମୟରେ ବାହାରୁ ଅଣ୍ତା ଅଣାଯାଇ ପ୍ରଜନନ ପରେ ବି ସାତକୋଶିଆରେ ଘଡ଼ିଆଳ ବଂଶବୃଦ୍ଧି ନଘଟୁନଥିଲା।

୨୦୨୦ରେ ଘଡ଼ିଆଳ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି କୃତ୍ରିମ ପ୍ରଜନନ ପାଇଁ କେତୋଟି ମାଈ ଏବଂ ଅଣ୍ଡିରା ଘଡ଼ିଆଳ ଗଣ୍ତରେ ଛଡ଼ାଯାଇ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା। ଶେଷରେ ୨୦୨୧ରେ ପ୍ରଥମଥର ପାଇଁ ଏକ ମାଈ ଘଡ଼ିଆଳ ସାତକୋଶିଆର ବଳଦମଡ଼ାଠାରେ ୨୮ଟି ଶାବକକୁ ଜନ୍ମ ଦେଇଥିଲା। ୨୦୨୨ ମେ’ରେ ପୁଣି ମାଈ ଘଡ଼ିଆଳ କୁମ୍ଭୀର ୩୦ଟି ଶାବକ ଜନ୍ମଦେଇଥିଲା। ଗତ ୨୦୨୩ ମେ’ରେ ଘଡ଼ିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେଇଥିଲା। ଲଗାତାର ଚତୁର୍ଥଥର ପାଇଁ ଗତ ୨୩ ତାରିଖରେ ଘଡ଼ିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେବା ସାତକୋଶିଆରେ ଏହି ପ୍ରଜାତିର କୁମ୍ଭୀର ବଂଶବୃଦ୍ଧି ଦିଗରେ ସଫଳତା ଆଡ଼କୁ ଗତି କରୁଥିବା ଜଣାପଡୁଛି।

ସମ୍ବନ୍ଧିତ ଖବର