ଭୁବନେଶ୍ବର : ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଆଜି ୧୨୯ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଲୋକସେବା ଭବନର କନଭେନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ତୃଣମୂଳସ୍ତରରେ ଏକ ବୃହତ ଜନସଂଖ୍ୟାର ଜୀବନଶୈଳୀରେ ପରିବର୍ତନ ଆଣିବା ଲାଗି ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବଞ୍ଚିତ ସମାଜରୁ ଅଧିକ ସଂଖ୍ୟାରେ ହିତାଧିକାରୀ ରହିଥିବାରୁ ସେମାନଙ୍କୁ ସମ୍ବେଦନଶୀଳତା ଦେଖାଇବାକୁ ପଡ଼ିବ। ଏହି ବିଭାଗ ରାଜ୍ୟ ସରକାରଙ୍କ ଅତ୍ୟତମ ଗୁରୁତ୍ବପୂର୍ଣ୍ଣ ବିଭାଗ। ରାଜ୍ୟର ୭୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣକୁ ବିଭାଗ ଗୁରୁତ୍ବ ଦେଉଛି। ରାଜ୍ୟର ଅନ୍ତର୍ଭୁକ୍ତ ବିକାଶ ଲକ୍ଷ୍ୟକୁ ଆଗେଇ ନେବାରେ ବିଭାଗର ବଡ଼ ଦାୟିତ୍ବ ରହିଛି।
ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ଜନଜାତି ଲୋକଙ୍କ ପାଇଁ ଚାଲିଥିବା ଜୀବିକା କାର୍ଯ୍ୟକ୍ରମ ବାଦ୍ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ହେଉଛି ସର୍ବବୃହତ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଏଥିପାଇଁ ୫ଶହ କୋଟି ଆବଣ୍ଟିତ କରାଯାଇଛି। ୨୦୨୨-୨୩ ବର୍ଷରୁ ଆସନ୍ତା ୩ବର୍ଷ ଭିତରେ ରାଜ୍ୟର ୧୨୧ଟି ବ୍ଲକ୍ରେ ୧.୫ଲକ୍ଷ ଆଦିବାସୀ ପରିବାରକୁ ସହାୟତା ପ୍ରଦାନ କରାଯିବ। ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ କରାଯିବା ସହିତ ହଷ୍ଟେଲ ନିର୍ମାଣ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତିରେ ବୃଦ୍ଧି କରାଯାଇଛି। ଡିଗ୍ରିରେ ନାମ ଲେଖାଇଥିବା ଗରିବ ଏସ୍ସି-ଏସ୍ଟି ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷଠାରୁ ଏକକାଳୀନ ୫୦ହଜାର ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏସ୍ସି, ଏସ୍ଟି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ବିକାଶରେ ବିଭାଗର ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଅଧିକାରୀଙ୍କୁ ଆହ୍ବାନ କରିଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ କହିଥିଲେ, ଓଡ଼ିଶାରେ ରୂପାନ୍ତରର ଯୁଗ ଆରମ୍ଭ ହୋଇଥିବା ବେଳେ ଯୁବ ଅଧିକାରୀମାନେ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ସଚ୍ଚୋଟତା ବଜାୟ ରଖିବା ଲାଗି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ବିଭାଗୀୟ ସଚିବ ରୁପାରୋଶନ ସାହୁ ୫-ଟି ନୀତି ଅନୁସରଣ କରି ଆନ୍ତରିକତା ସହ କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଅଧିକାରୀଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/cccc-2.jpg)