ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଶିକାର ପାଇଁ ପଶିଥିବା ଦୁର୍ଦ୍ଦାନ୍ତ ଶିକାରୀ ବାଇଗୋ ହୋ (୪୮)କୁ ଗିରଫ କରିଛି ବନବିଭାଗ। ବିଶେଷ ସୁତ୍ରରୁ ଖବର ପାଇ ଜେନାବିଲ ରେଞ୍ଜର କର୍ମଚାରୀମାନେ ଚଢ଼ଉ କରି ବାଇଗୋକୁ କାବୁ କରିଥିଲେ। ବାଇଗୋ ପାଖରୁ ଏକ ଦେଶୀ ବନ୍ଧୁକ ଓ ୧୨୯୯ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ତେବେ କୌଣସି ଶିକାରୀଙ୍କ ପାଖରୁ ଏକାଥରେ ଏତେ ପରିମାଣର ଜୀବନ୍ତ ଗୁଳି ଜବତ ଘଟଣା ଜିଲ୍ଲା ବନବିଭାଗ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ତା’ପାଖରେ ଏତେ ଗୁଳି କେଉଁଠୁ ଆସିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବାଇଗୋ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ସେ ଜଙ୍ଗଲରୁ ପଶୁ ଶିକାର କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରିଥାଏ। ଶିକାର ସମୟରେ ବନ ବିଭାଗ କର୍ମଚାରୀଙ୍କୁ ବି ଟାର୍ଗେଟ କରିବାକୁ ପଛାଇ ନଥାଏ। ବନବିଭାଗ ତାକୁ ବହୁଦିନରୁ ଖୋଜୁଥିଲେ ବି ବେଶ୍ କିଛି ଦିନ ହେଲା ବାଇଗୋର କୌଣସି ଖୋଜଖବର ନଥିଲା। ଆଜି ତାକୁ ଗିରଫ କରିବା ପରେ ସନ୍ଧ୍ୟାରେ ଉଦଳା କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।