୧୩ .୭୫ କୋଟିର ଜିଏସ୍‌ଟି ଠକେଇ: ବ୍ୟାଙ୍କ ମ୍ୟାନେଜର ସହିତ ୪ ଗିରଫ

ସରକାରୀ କର୍ମଚାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ

ସମ୍ବଲପୁର: ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନାମରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୩. ୭୫ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଭଳି ସାଂଘାତିକ ଅଭି‌ଯୋଗ ସାମ୍‌ନାକୁ ଆସିଛି। ଏହି ମାମଲାରେ ସମ୍ବଲପୁର ସାଇବର ଥାନା ପୁଲିସ ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଅକ୍ଷୟ କୁମାର ନାୟକ, ବରିଷ୍ଠ ସହାୟକ ପି.କେ.ଜେନାଙ୍କ ସମେତ ଅନ୍ୟ ଦୁଇ ଜଣବ୍ୟକ୍ତି ସୁବାସ ସ୍ବାଇଁ ଓ ଅମିତ ବେରିଓ୍ବାଲଙ୍କୁ ଆଜି ରାତିରେ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ସଦର ଥାନା କୁଲ୍‌ତା ନୂଆପାଲି ଗାଁର ଅଚ୍ୟୁତାନନ୍ଦ ବଢ଼େଇ ବିଟେକ୍ କରିବା ପରେ କେନ୍ଦ୍ର ସରକାରଙ୍କ ଷ୍ଟାଟିଷ୍ଟିକ୍ସ ବିଭାଗର ଏବେ କାର୍ଯ୍ୟରତ ଅଛନ୍ତି। ଅଚ୍ୟୁତାନନ୍ଦଙ୍କ ନାମରେ ‌ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲାଯାଇଥିଲା। ଏହି ଆକାଉଣ୍ଟ ଜରିଆରେ ୧୩.୭୫ କୋଟି ଟଙ୍କାର କାରବାର ହୋଇଥିବା ‌ବେଳେ ଜିଏସ୍‌ଟି ଦାଖଲ କରାଯାଇନଥିଲା। ନିକଟରେ ଆୟକର ବିଭାଗ ପକ୍ଷରୁ ଶ୍ରୀ ବଢ଼େଇଙ୍କ ପାଖକୁ ଆୟକର ଦାଖଲ କରିନଥିବା ସଂକ୍ରାନ୍ତରେ ଏକ ନୋଟିସ୍‌ ଆସିଥିଲା। ଆୟକର ବିଭାଗରୁ ନୋଟିସ୍ ପାଇବା ପରେ ‌ସେ ପ୍ରଥମେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ପରେ ତାଙ୍କ ନାମରେ କେହି ଜାଲ ଆକାଉଣ୍ଟ ଖୋଲି ଏଭଳି କରିଥିବା ସନ୍ଦେହ କରି ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ।

ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁକରି ଅନୁସନ୍ଧାନ ଆରମ୍ଭ କରିଥିଲେ। ଏହି ଠକେଇ ମାମଲାରେ ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଅକ୍ଷୟ କୁମାର ନାୟକ, ବରିଷ୍ଠ ସହାୟକ ପି.କେ.ଜେନାଙ୍କ ସମେତ ଅନ୍ୟ ଦୁଇ ଜଣ ବ୍ୟକ୍ତି ସୁବାସ ସ୍ବାଇଁ ଓ ଅମିତ ବେରିଓ୍ବାଲଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ ଆଜି‌ ସେମାନଙ୍କୁ ଗିରଫ କରାଯାଇଛି। ସୁବାସ ସ୍ବାଇଁ ଜିଏସ୍‌ଟି ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଅଳ୍ପଦିନ ତଳେ ସେ ଜାମିନରେ ଆସିଛି। ଅମିତ ଆଗରୁ ସମ୍ବଲପୁର କ୍ଷେତରାଜପୁରରେ ରହୁଥିଲେ। ଏବେ ସେ ରାଉରକେଲାରେ ରହୁଛନ୍ତି। ସାଇବର ଥାନା ପୁଲିସ ଏହି ମାମଲାରେ ୨୩ ଲକ୍ଷ ଟଙ୍କା ମୂଲ୍ୟର ଏକ କାର୍ ବି ଜବତ କରିଛି। ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କରେ ଆହୁରି ଅନେକ ବ୍ୟକ୍ତିଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର