୪୦ ଡିଗ୍ରି ଉପରେ ୧୩ ସହର, ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଲା ତାପମାତ୍ରା

ଭୁବନେଶ୍ବର: ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଟିଟିଲାଗଡ଼, ତାଳଚେର ପରେ ଆଜି ଝାରସୁଗୁଡ଼ାରେ ବି ପ୍ରବଳ ତାତି ଅନୁଭୂତ ହୋଇଛି। ଗତକାଲି ଅପେକ୍ଷା ଅର୍ଧାଧିକ ସ୍ଥାନରେ ତାପମାତ୍ରା ଗୋଟିଏରୁ ୩ ଡିଗ୍ରି କମିଥିଲେ ମଧ୍ୟ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୬ ରେକର୍ଡ କରାଯାଇଛି। ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ତାଳଚେର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ତେବେ ଟିଟିଲାଗଡ଼ ଓ ଅନୁଗୁଳରେ ତାପମାତ୍ରା ଅପରିବର୍ତ୍ତିତ ରହିଛି। ତାପମାତ୍ରା ହ୍ରାସ ପାଉନଥିବା ବେଳେ ଆସନ୍ତା ଦୁଇ ଦିନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା‌ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଉପକୂଳରେ ତାପମାତ୍ରା ହ୍ରାସ ପାଇବ। ତେବେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଅନୁରୂପ ଭାବେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ମଙ୍ଗଳବାର ପାଇଁ ଭଦ୍ରକ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର ଓ ବରଗଡ଼ ଲାଗି ହିଟ୍‌ୱେଭ୍‌ ଜାରି ହୋଇଛି। ଯେତେଦୂର ସମ୍ଭବ ଲୋକେ ଗ୍ରୀଷ୍ମ ପ୍ରବାହକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ବୁଧବାର ମଧ୍ୟ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ତାତି ଅନୁଭୂତ ହେବ। ସବୁ ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ପାଖାପାଖି ରହିବ। ତେବେ ଗୁରୁବାର ପାଗରେ ସାମାନ୍ୟ ପରିବର୍ତନ ଆସିବ। ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିବ ବୋଲି ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା‌ କଥା ‌ହେଉଛି ଯେ ମେ’ ୩ ଓ ୪ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ବିଶେଷଭାବେ ହ୍ରାସ ପାଇବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୫ରୁ ୩୦ ଡିଗ୍ରି ତଳକୁ ଖସି ଆସିବ, ଯାହାକି ୬ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ତେବେ ୩୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୫ ଡିଗ୍ରି ତଳେ ରହିବ। ପଶ୍ଚିମ ଓଡ଼ିଶାରେ ମେ’ ୨ ପର୍ଯ୍ୟନ୍ତ ଉଣାଅଧିକେ ଗରମ ଲାଗି ରହିବ। ୩ରୁ ୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବିଶେଷ ପରିବର୍ତ୍ତିତ ହେବ। ସବୁଠି ତାପମାତ୍ରା ହ୍ରାସ ପାଇ ୩୫ ଡିଗ୍ରି ତଳକୁ ଆସିପାରେ। ଗତକାଲି ୪୬.୩ ଡିଗ୍ରିରେ ତତଲା ସହର ପାଲଟିଥିବା ତାଳଚେର ତାପମାତ୍ରା ଆଜି ହ୍ରାସ ପାଇ ୪୩.୬ ଡିଗ୍ରିରେ ପହଞ୍ଚିଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୪.୫, ଅନୁଗୁଳରେ ୪୩.୭, ସମ୍ବଲପୁରରେ ୪୩, ହୀରାକୁଦରେ ୪୨.୧, ଭବାନୀପାଟଣା, ବଲାଙ୍ଗୀର ଓ ମ‌ାଲକାନଗିରିରେ ୪୨ ଡିଗ୍ରି ଲେଖାଏ ରହିଥିଲା। ‌ଚାନ୍ଦବାଲି ତାପମାତ୍ରା ଇତି ମଧ୍ୟରେ ୪୦.୪ ଡିଗ୍ରିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର