୧୩ କମ୍ପାନି ବିକୁଛନ୍ତି ନକଲି କୀଟନାଶକ

ଭୁବନେଶ୍ୱର: ମାସକ ତଳେ ନକଲି କୀଟନାଶକ ଯୋଗୁଁ ଚକଡ଼ା ରୋଗପୋକ ଧାନ ଫସଲରେ ମାଡ଼ିଗଲା। ଚାଷୀମାନଙ୍କ ବର୍ଷକର ପରିଶ୍ରମ, ପୁଞ୍ଜି ଉଜୁଡ଼ି ଗଲା। ଖାଲି ଚାଷୀମାନଙ୍କର ନୁହେଁ, ସରକାରୀ ତହବିଲ୍‌ରୁ ବି ଶହ ଶହ କୋଟି ପାଣିରେ ପଡ଼ିଲା। ସେହିପରି ନକଲି ସାର ଚାଷୀଙ୍କ ଦାନାକୁ ଖିନ୍‌ଭିନ୍‌ କରିଦେଲା। କିନ୍ତୁ ଯେଉଁ ଅପରାଧୀମାନେ ଚାଷୀଙ୍କ ଭାଗ୍ୟ ସହ ଖେଳିଲେ, ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଲା ତାହା ସମସ୍ତଙ୍କୁ ଜଣା। ଏଭଳି ନକଲି ସାର, କୀଟନାଶକ ଔଷଧ ଏବଂ ନକଲି କାରଖାନା ଖୋଲି କୋଟି କୋଟି ହାତେଇଥିବା ୧୩ଟି କମ୍ପାନି
ଏବଂ ସେମାନଙ୍କର କାରଖାନା ସଂପର୍କରେ ତଥ୍ୟ, ସୂଚନା ଏବେ ଖୋଦ୍‌ ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କ ହାତରେ ବାଜିଛି। ଏବେ ଦେଖିବାକୁ ଅଛି ନକଲି କାରବାରର ମୁଖା ଖୋଲିବ ନା ଏହା କେବଳ ଅଭିଯୋଗରେ ସୀମିତ ରହିଯିବ। ଆଜି ଏଭଳି ଏକ ଭୟଙ୍କର ନକଲି କାରବାର ସଂପର୍କରେ ଶିଳ୍ପ ବିଭାଗର ଯୁଗ୍ମ ସଚିବ ବି.କେ. ଦାଶ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ନଜରକୁ ଆଣିଛନ୍ତି। ଏ ନେଇ ତାଙ୍କୁ ସୂଚନା ଦେବା ସହିତ ତାଙ୍କ ସ୍ତରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଅନୁରୋଧ କରିଥିବା ସେ ଜଣାଇଛନ୍ତିି।

ସୂଚନାନୁସାରେ କଟକ, ଢେଙ୍କାନାଳ, ଯାଜପୁର, ଭୁବନେଶ୍ୱର, ବ୍ରହ୍ମପୁର, ନହରକଣ୍ଟାରେ ୧୩ଟି କମ୍ପାନି କାରଖାନା ସ୍ଥାପନ କରିଛନ୍ତିି। ସେହି କାରଖାନାର ନା ଅଛି କାରଖାନା ଲାଇସେନ୍ସ, ନା ଶ୍ରମ ଲାଇସେନ୍ସ, ବୈଧ ପ୍ରଦୂଷଣ ବୋର୍ଡ ମଞ୍ଜୁରି, ଇପିଏଫ୍‌ ଓ ଇଏସ୍‌ଆଇ, ଡିଆଇସିର ଉତ୍ପାଦନ ସାର୍ଟିଫିକେଟ୍‌। ଏହା ସତ୍ତ୍ୱେ ଏସବୁ କମ୍ପାନି ନକଲି ସାର, କୀଟନାଶକ ବିକ୍ରି କରୁଛନ୍ତିି। ଏହି କମ୍ପାନିଗୁଡ଼ିକୁ ଆବଶ୍ୟକ ଯାଞ୍ଚ ନ କରି କୃଷି ବିଭାଗ ପକ୍ଷରୁ ମାର୍କେଟିଂ ଲାଇସେନ୍ସ ଦିଆଯାଇଥିବା ଅଭିଯୋଗ କରାଯାଇଛି।

ଏଭଳି ଭୟଙ୍କର ଲିଖିତ ଅଭିଯୋଗ ଶ୍ରୀକାନ୍ତ ଗରାବଡ଼ୁ ନାମକ ଜଣେ ଅଭିଯୋଗକାରୀ କରିଥିବା ଯୁଗ୍ମ ସଚିବ ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତିି। କମ୍ପାନିଗୁଡ଼ିକର କାରଖାନା, ଉତ୍ପାଦନ କ୍ଷମତା, ପ୍ରକୃତ ଉତ୍ପାଦନ, ବିକ୍ରୟ ଆଦି ସଂପର୍କରେ ତଦନ୍ତ କରି ଆଇନ ଉଲ୍ଲଂଘନକାରୀ କମ୍ପାନିଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଗରାବଡ଼ୁ ଦାବି କରିଛନ୍ତିି। ସେ ତାଙ୍କ ଅଭିଯୋଗର ବିଶ୍ୱସନୀୟତାକୁ ଦର୍ଶାଇବାକୁ କମ୍ପାନିଗୁଡ଼ିକର ନାମ, ଠିକଣା, ଏଫ୍‌ଆରସି ନମ୍ବର, ଟର୍ଣ୍ଣ ଓଭର ଆଦି ଉଲ୍ଲେଖ କରିଛନ୍ତି। ଏଭଳି ସାଂଘାତିକ ଅଭିଯୋଗ ସଂପର୍କରେ ତଦନ୍ତ ଜରୁରି ହୋଇଥିବାରୁ ପ୍ରମୁଖ ସଚିବ କିଭଳି ତଦନ୍ତ କରାଉଛନ୍ତି ତାହା ଦେଖିବାର କଥା।

ସମ୍ବନ୍ଧିତ ଖବର