ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୭୪ ହେଲା

ଭୁବନେଶ୍ବର : ଆଜି ପୁଣି ଥରେ କରୋନା ସଂକ୍ରମଣ ଖବର ସମଗ୍ର ରାଜ୍ୟକୁ ଚହଲାଇ ଦେଇଛି। ଗୋଟିଏ ଦିନରେ ୧୩ ଜଣ ସଂକ୍ରମିତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅର୍ଥାତ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଛି । ଯଦିଓ ଏହି  ସଂକ୍ରମଣ ୪ଟି ଜିଲ୍ଲାରେ ସୀମିତ ରହିଛି, ମାତ୍ର ସମଗ୍ର ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ଏହି ୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟବାହାରୁ ସଂକ୍ରମଣ ଧରି ଆସିଥିବା ଅନୁମାନ କରାଯାଉଛି।

ତେବେ ଆଜି ସକାଳେ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅ  କରୋନା ପିଜିଟିଭ ଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେସବୁର କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲା ପ୍ରଶାସନ । ସେ ଓ ତାଙ୍କ ବାପା ମା କେଉଁଆଡେ ଯାଇଥିଲେ କି ଅବା ତାଙ୍କ ଘରକୁ କେଉଁମାନେ ଆସିଥିଲେ ସେସବୁର ଅନୁସନ୍ଧାନ କରୁଛି ପ୍ରଶାସନ । ତେବେ ଏତେ ଛୋଟ ଝିଅ ଆକ୍ରାନ୍ତ ହେବା ରାଜ୍ୟର ପ୍ରଥମ ଘଟଣା । ତେଣୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ତେବେ କୁନି ଝିଅ ପଜିଟିଭ ଚିହ୍ନଟ ହେବା ପରେ ପଂଚାୟତର ୩ଟି ୱାର୍ଡକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି ।

ଅନ୍ୟପଟେ ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ଜଣାପଡିଛି । ସମସ୍ତଙ୍କ ବୟସ ୪୮ରୁ ୬୬ବର୍ଷ ଭିତରେ ରହିଛି । ବାସୁଦେବପୁର ବ୍ଲକର ୩ ଜଣ ଓ ଭଣ୍ଡାରୀପୋଖରୀ ବ୍ଲକର ୨ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ଠାରୁ ନମୂନା ସଂଗ୍ରହ କରାଯିବା ପରେ ତାଙ୍କୁ ପୃଥକବାସରେ ରଖାଯାଇଥିଲା ।

ବାସୁଦେବପୁର ବ୍ଲକର ମଳକସାହି ପଦ୍ମପୁରର ୫୭ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖ ଦିନ କୋଲକାତାରୁ ବାସୁଦେବପୁର ଆସିଥିଲେ । ଟାଟା ମ୍ୟାଜିକରେ ଅନ୍ୟ ୩ ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । ସେହିପରି ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ଗାଁର ୫୮ ବର୍ଷୀୟ ଆକ୍ରାନ୍ତ ଜଣକ ଟ୍ରକ ଡ୍ରାଇଭର ଓ ସେ ଏପ୍ରିଲ ୯ ତାରିଖ ଦିନ କୋଲକାତାରୁ ଫେରିଛନ୍ତି ।

ବାସୁଦେବପୁର ବ୍ଲକର ତୃତୀୟ ଆକ୍ରାନ୍ତ ମାଟିପକା ଗାଁର ୫୫ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ବୋଲେରୋ ଯୋଗେ ଅନ୍ୟ ୭ଜଣଙ୍କ ସହ କୋଲକାତାରୁ ଫେରିଥିଲେ । ଭଣ୍ଡାରୀପୋଖରୀ ବ୍ଲକର ରାହାନିଆ ଗାଁର ୬୬ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖରେ ଟାଟା ଏସି ଯୋଗେ ଅନ୍ୟମାନଙ୍କ ସହ କୋଲକାତାରୁ ଫେରିଥିଲେ । ସେହିପରି ଭଣ୍ଡାରୀପୋଖରୀ ବ୍ଲକ କୁସାଗାଡିଆ ଟେସିଙ୍ଗା ଗାଁର ୪୮ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ ତାରିଖ ଦିନ ମାରୁତି ଓମନି ଯୋଗେ ଅନ୍ୟ ୬ ଜଣଙ୍କ ସହ କୋଲକାତାରୁ ଫେରିଥିଲେ ।

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ଯାଜପୁରରୁ ଓ ୧ ଜଣେ ସୁନ୍ଦରଗଡ଼ରୁ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଯାଜପୁରରେ ଚିହ୍ନଟ ୫ଟି ମାମଲା ମଧ୍ୟରୁ କୋରେଇ ବ୍ଲକରୁ ଜଣେ, ଯାଜପୁର ବ୍ଲକରୁ ୩ ଜଣ ଓ ଦଶରଥପୁର ବ୍ଲକର ଜଣେ ବୋଲି ଜଣାପଡ଼ିଛି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏମାନେ କୋଲକତାରୁ ଫେରିଥିବା ଜଣାଯାଇଛି । ଖୁବଶୀଘ୍ର ସଂପୃକ୍ତ ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । .

ଜିଲ୍ଲା ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାଜପୁରର ଏହି ୫ ଜଣ ଗତ ୨୮ ଓ ୨୯ ତାରିଖରେ କୋଲକତାରୁ ଫେରିଥିଲେ । ସେମାନେ ହାୱଡା ଅଞ୍ଚଳର କେତେକ କାରଖାନାରେ ଶ୍ରମିକଭାବେ କାମ କରୁଥିଲେ ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିଶ୍ରା ଅଞ୍ଚଳର ବୋଲି ସୂଚନା ରହିଛି। ନୂଆ ଚିହ୍ନଟ ଆକ୍ରାନ୍ତ ସେଠାରୁ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ।

ସମ୍ବନ୍ଧିତ ଖବର