ଦିନକରେ ୧୩ ଆକ୍ରାନ୍ତ : ଯାଜପୁର ଓ ଭଦ୍ରକରୁ ୫ ଲେଖାଏଁ, ବାଲେଶ୍ବର ୨ ଓ ସୁନ୍ଦରଗଡ଼ର ଜଣେ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହଠାତ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୩ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଯାଜପୁର ଓ ଭଦକ୍ରରୁ ୫ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ବରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଚିହ୍ନଟ ହୋଇଛନ୍ତି। ବାଲେଶ୍ବରରେ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ୨ବର୍ଷର ଶିଶୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କ‌ରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି।

ତେବେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅତି କମ୍‌ରେ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି କିମ୍ବା ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯାହାକି ସଂପୂର୍ଣ୍ଣ ଚିହ୍ନଟ ବ୍ୟକ୍ତିଙ୍କ ଏକ ତୃତୀୟାଂଶ। ଏହି ଘଟଣାକୁ ନେଇ ରାଜ୍ୟ ପ୍ରଶାସନ ଉଦ୍‌ବେଗ ପ୍ରକାଶ କରିଛି। ଉପଯୁକ୍ତ ତଦନ୍ତ ସହ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ତରଫରୁ ତାଗିଦ୍‌ କରାଯାଇଛି। ମାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବା ଏକ ଭଲ ଘଟଣା। ଯଦି ସେମାନେ ଠିକ୍ ସମୟରେ ଚିହ୍ନଟ ହୋଇ ନ ଥାନ୍ତେ, ତେବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ ରାଜ୍ୟର ୬୨, ୬୩, ୬୪, ୬୫ ଓ ୬୬ ନମ୍ବର କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ସମସ୍ତେ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୪୮, ୫୫, ୫୭, ୫୮ ଓ ୬୬ବର୍ଷ ବୋଲି ଜଣାପଡ଼ିଛି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସରକାରଙ୍କ ତରଫରୁ କୁହାଯାଇଛି। ସେହିପରି ବାଲେଶ୍ବର ଜିଲ୍ଲାରେ ରାଜ୍ୟର ୬୭ ଓ ୬୮ତମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ଜଣେ ୩୨ବର୍ଷର ଯୁବକ ଥିବା ବେଳେ ଜଣେ ଶିଶୁ ରହିଛନ୍ତି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳର ୪୦ବର୍ଷର ‌ଜଣେ ବ୍ୟକ୍ତି ପୂର୍ବରୁ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶ‌ରେ ଆସିଥିବା କୁହାଯାଇଛି। ଅପରପକ୍ଷରେ ଯାଜପୁର ଜିଲ୍ଲାରେ ମଧ୍ୟ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୨୮, ୩୨, ୫୦, ୫୮ ଓ ୬୪ବର୍ଷ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୧୦୬୪୧ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମିତ ୭୪ ଜଣଙ୍କ ମଧ୍ୟରୁ ୨୪ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୪୯ଜଣ ଏବେ ବି ସକ୍ରିୟ ରହିଛନ୍ତି। ସେହିପରି କରୋନା ସନ୍ଦେହରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୨୭ଜଣ ବ୍ୟକ୍ତି ପୃଥକବାସରେ ଅଛନ୍ତି।

ସମ୍ବନ୍ଧିତ ଖବର