କାମାକ୍ଷାନଗର/ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ କେଭି ବିଦ୍ୟୁତ ତାର ଲାଗି ୫ ଦିନ ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୧୧ କେଭି ତାର ଚଳନ୍ତା ବସ୍ ସଂସ୍ପର୍ଶରେ ଆସି ୧୦ ଜଣଙ୍କ ମୃତ୍ୟୁ ହେବା ଘଟଣା ପରେ ଆଜି ପୁଣି ଥରେ ଏଭଳି ଘଟଣା ଘଟିଛି। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରାଜମିସ୍ତ୍ରୀ ବିଶ୍ୱନାଥ ବେହେରା।
ଗ୍ରାମର ଅକ୍ଷୟ ସାହୁଙ୍କ ଘର ଛାତ କାମ କରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୩ଟାରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଅକ୍ଷୟ ଗୁରୁତର ହୋଇଥିଲେ। ଘର ଲୋକେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ମେଡ଼ିକାଲ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ବସରେ ବିଦ୍ୟୁତ ତାର ଲାଗିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍କଲପାଡୁ ଗାଁର ଏକ ବରପକ୍ଷର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ବସ୍ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର (ଶିଖରଡ଼ା) ଅଭିମୁଖେ ଯାଉଥିଲେ। ତେବେ, ଯିବା ବାଟରେ ନେନ୍ଦ୍ରାଜପୁରଠାରେ ବସ୍ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍ରେ ବିଦ୍ୟୁତ୍ କରେଣ୍ଟ୍ ପ୍ରବାହିତ ହୋଇଥିଲା।
ସେହିପରି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅଧିନ କୋକଲୁଣ୍ଡା ଗ୍ରାମରେ ବୁଧବାର ବିଦ୍ୟୁତ ଆଘାତରେ ଆସି ନାତି ରାଜେଶ ଜେନା(୨୦) ଓ ଜେଜେମା ଶିଶୁଳା ଜେନା(୭୨)ଙ୍କର ମୃତ୍ୟୁ ଘଟିଛି।