ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା : ୧୩ ମୃତ

ନୂଆପଡ଼ା, ଭଦ୍ରକ, ମୟୂରଭଞ୍ଜରେ ୬ ମୃତ, ଯୋଡା: ଲୁଟ୍‌ ବୋଲେରୋରେ ଧକ୍କା ଦେଲା ଦୁର୍ବୃତ୍ତ, ୨ ପୁଅଝିଅଙ୍କ ସହ ଆଖି ବୁଜିଲେ ବାପା

ଭୁବନେଶ୍ବର/ ଖଣ୍ଡଗିରି/ ପୁରୁଣା ଭୁବନେଶ୍ବର : ଦୀପାବଳି ରାତି ଓ ଆଜି ସକାଳୁ ରାଜଧାନୀର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ମୃତଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବାଣୀବିହାର ଓଭରବ୍ରିଜ୍‌ରେ ଏକ ବାଇକ୍‌କୁ ଟାଟା ଏସ୍‌ ଧକ୍କା ଦେବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ(୨୪) ଓ ସୁଧୀର କୁମାର ଭୋଇ(୩୦)। ଜିତେନ୍ଦ୍ର ଏଠାରେ ପରିବାର ସହ ଆଇଗିଣିଆ ଅଞ୍ଚଳରେ ରହୁଥିଲେ। ଆଜି ଦିନ ପ୍ରାୟ ସା‌ଢ଼େ ୧୦ଟା ସମୟରେ ଜୀତେନ୍ଦ୍ର ଓ ତାଙ୍କ ସାଙ୍ଗ ସୁଧୀର ବୁଲେଟ୍‌ରେ କଟକରୁ ଆଇଗିଣିଆ ସ୍ଥିତ ଘରକୁ‌ ଫେରୁଥିଲେ। ତେବ‌େ ସେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଯାଉଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟାଟା ଏସ୍‌ ଭାରସାମ୍ୟ ହରାଇ ତାଙ୍କ ବାଇକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍‌ ସହ କିଛି ବାଟ ଘୋଷାଡ଼ି ହୋଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ରାସ୍ତା ମଝିରେ ପଡ଼ିରହିଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଫୋନ୍‌ କରିଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସୁଧୀରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି, ଦୀପାବଳି ରାତି ପ୍ରାୟ ୧୧ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଓୟୁଏଟି ଫାର୍ମ ନିକଟ ଚାଳସାହି ବସ୍ତିର ଶିବ ପ୍ରସାଦ ଦାସ(୪୫)। ଅନ୍ୟପକ୍ଷରେ, ଚଳିତ ମାସ ୨୪ ତାରିଖ ଦିନ କଳ୍ପନା ଛକରେ ଘଟିଥିବା ଏକ ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ବରର ପ୍ରହଲ୍ଲାଦଙ୍କ ପୁତ୍ର ହେମନ୍ତ ଜେନା। ବଡ଼ଗଡ଼ ଥାନା ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନୂଆପଡ଼ା, ଭଦ୍ରକ, ମୟୂରଭଞ୍ଜରେ ୬ ମୃତ

ନୂଆପଡ଼ା/ଖୁଣ୍ଟା/ଭଦ୍ରକ : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଧରମବନ୍ଧା ରାସ୍ତାର ବ୍ରହ୍ମାଣୀ ନାଳା ପାଖରେ ସୋମବାର ମଧ୍ୟାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ, ଧରମବନ୍ଧା ଗ୍ରାମର ଈଶ୍ବର ସତନାମୀ(୨୩) ଓ ପଣ୍ଡିରିପାଣି ଗ୍ରାମର ତାରାଚନ୍ଦ ମାଝୀ(୩୦)। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତଥା ଖୁଣ୍ଟା-କୁଶଳଦା ରାସ୍ତାର ନହରା ଛକ ନିକଟରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ଦ୍ବୟ ହେଲେ ଖୁଣ୍ଟା ଥାନା ଅଧୀନ ବଣକାଟୀ ଗ୍ରାମର ଗଙ୍ଗାଧର ଗିରି(୬୦) ଓ ରାମେଶ୍ବର ବେଶ୍ରା(୨୫)।

ସେହିଭଳି, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ବାସୁଳୀ ମନ୍ଦିର ନିକଟରେ ଆଜି ଅପରାହ୍‌ଣରେ ପିକ୍‌ଅପ୍‌ ଧକ୍କାରେ ଦାଦା ଝିଆରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେ ବନ୍ତ ବ୍ଲକର ଅଣିଜୋ ପଞ୍ଚାୟତ ନରିପୁର ଗ୍ରାମର ଅନ୍ତର୍ଯାମୀ ପଣ୍ଡାଙ୍କ ସାନପୁଅ ଜଗନ୍ନାଥ ପଣ୍ତା(୨୨)ତାଙ୍କ ଝିଆରୀ ପ୍ରିୟଙ୍କା ପ୍ରିୟଦର୍ଶନୀ(୧୧)।

ଲୁଟ୍‌ ବୋଲେରୋ‌େର ଧକ୍କା ଦେଲା ଦୁର୍ବୃତ୍ତ, ୨ ପୁଅଝିଅଙ୍କ ସହ ଆଖି ବୁଜିଲେ ବାପା

ଯୋଡ଼ା : ଦୁର୍ବୃତ୍ତ ଲୁଟି ନେଉଥିବା ଏକ ବୋଲେରୋ ଧକ୍କାରେ ବାପା ସମେତ ଦୁଇ ଶିଶୁ ପୁଅଝିଅଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ାଠାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାପାଙ୍କ ନାମ ଦୁଲୁନ ଲୋହାର(୨୫), ତାଙ୍କ ଶିଶୁପୁତ୍ର ମନୁ ଲୋହାର (୩) ଓ ଶିଶୁକନ୍ୟା ପ୍ରିୟା ଲୋହାର(୫)।

ଖବର ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ଜଣେ ଦୁର୍ବୃତ୍ତ ଏକ ବୋଲେରୋ ଲୁଟ୍‌ କରି ଦ୍ରୁତ ଗତିରେ ଫେରୋ ପ୍ଲାଣ୍ଟ-ଗଣେଶ ଭବନ ରାସ୍ତାରେ ପଳାଉଥିଲା। ସେହି ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଦୁଇଟି ବାଇକ୍‌ ଓଆ୧୧ସି ୫୮୯୨ , ଓଡି୦୯କେ ୩୬୩୫କୁ ପ୍ରଥମେ ଧକ୍କା ଦେଇଥିଲା। ଏହି ସମୟରେ ମାଡ୍ରାସ ହଟିଂଠାରେ ଘର ସମ୍ମୁଖରେ ଛିଡ଼ାହୋଇଥିଲେ ଦୁଲୁନ ଲୋହାର, ତାଙ୍କ ଶିଶୁପୁତ୍ର ମନୁ ଲୋହାର ଓ ଶିଶୁକନ୍ୟା ପ୍ରିୟା ଲୋହାର। ବୋଲେରୋଟି ସେମାନଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଗାଡ଼ିଟି ଯାଇ ଏକ ଘରକୁ ଧକ୍କାଦେଇ ରହିଯାଇଥିଲା। ଲୁଟେରା ଡ୍ରାଇଭର ଚାପିହୋଇ ରହିଥିଲା। ବାପା ଓ ଦୁଇ ପୁଅଝିଅଙ୍କୁ ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି। ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଦୁର୍ବୃତ୍ତକୁ ଉଦ୍ଧାର କରି ସ୍ଥାନୀୟ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଛି। ବୋଲେରୋ ଚଳାଉଥିବା ଦୁର୍ବୃତ୍ତ ପ୍ରଚୁର ମଦ୍ୟପାନ କରିଥିଲା ବୋଲି ପୁଲିସ୍‌ କହିଛି। ତଦନ୍ତ ପରେ ଲୁଟ୍‌ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ଯୋଡା ଥାନା ଏସ୍‌ଆଇ ଅନିଲ କୁମାର ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର