୨୪ ଘଣ୍ଟାରେ ରାଜ୍ୟରେ ୭ ମହିଳାଙ୍କ ସମେତ ୧୩ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ହୋଇଥିବାବେଳେ ୬ ଜଣ ପୁରୁଷ ଅଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମହିଳା କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଥିବାବେଳେ ଦୁଇଜଣ ପୁରୁଷ ଅଛନ୍ତି । ମୃତ ଦୁଇ ମହିଳାଙ୍କ ବୟସ ୭୫ ବର୍ଷ ଓ ୬୫ ବର୍ଷ ହୋଇଥିବାବେଳେ ପୁରୁଷ ଦୁଇଜଣଙ୍କ ବୟସ ୪୫ ବର୍ଷ ଓ ୬୦ ବର୍ଷ ବୋଲି ଜଣାପଡ଼ିଛି ।

ସେହିପରି ପୁରୀ ଜିଲ୍ଲାର ୩ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁରୁଷ ଓ ଦୁଇଜଣ ମହିଳା ଅଛନ୍ତି ।  ଜିଲ୍ଲାର ଜଣେ ୬୬ ବର୍ଷୀୟ ଓ ଜଣେ ୬୮ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି । ଉଭୟ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ ।

ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେ ଉଚ୍ଚରକ୍ତଚାପ ଓ ଥାଇରଏଡ ଅଭାବ ଜନିତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ବରର ଜଣେ ୪୭ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି । ସେ ଡାଇବେଟିସ ଓ ହୃଦରୋଗରେ ପୀଡ଼ିତ ଥିଲେ । ବଲାଙ୍ଗୀରର ଜଣେ ୨୩ ବର୍ଷୀୟ ଯୁବତୀ ପ୍ରାଣ ହରାଇଥିବାବେଳେ ନୂଆପଡ଼ାର ଜଣେ ୫୨ ବର୍ଷୀୟ ପୁରୁଷ, ବାଲେଶ୍ବରର ୪୪ ବର୍ଷୀୟ ପୁରୁଷ ଓ ଭୁବନେଶ୍ବରର ଜଣେ ୪୪ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର