ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସଲେଇକେନା ଭାଡିମରା ଜୁଆଙ୍ଗସାହି ନିକଟ ଥାନିନାଳୀ ଚାଷ ଜମିରୁ ଶୁକ୍ରବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀର ବୟସ ପାଖାପାଖି ୪୦ ବର୍ଷ। ଗୁରୁବାର ବିଳମ୍ବିତ ରାତି ୧୧ଟାରୁ ୧୨ଟା ମଧ୍ୟରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ଡିଏଫଓ ଏଚଡି ଧନରାଜ ସୂଚନା ଦେଇଛନ୍ତି। ରାତିରେ ପାଚିଲା ଧାନ ଫସଲ ଖାଇବାକୁ ଆସୁଥିବା ବନ୍ୟଜନ୍ତୁଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ଫାଶରେ ଲାଗି ଦନ୍ତାର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଅଭିଯୋଗରେ ଜମି ମାଲିକ ରୁଗୁଡିହି ଗ୍ରାମର ସ୍ବର୍ଗତ ସୁଦୁରିଆ ତାମସଏଙ୍କ ପୁଅ ରାଜୁ ତାମସଏ(୪୮), ଜାନମସିଂ ତାମସଏ(୪୫), ଗୁଲାରାମ ତାମସଏ(୩୦) ଓ ଖଜୁରୀ ତାମସଏ(୨୬)କୁ ବନ ବିଭାଗ ପକ୍ଷରୁ ଅଟକ ରଖାଯାଇଛି।

Advertisment

ତେବେ ଚଳିତ ବର୍ଷ ତାଙ୍କର ୨ ଏକର ୭୦ ଡିସିମିଲ ଜଙ୍ଗଲ ଜମି ପଟ୍ଟା ଥିବା ଜମିରେ ଭଲ ଫସଲ ହୋଇନଥିବାରୁ ସେମାନେ ଜମିକୁ ଆସୁ ନ ଥିଲେ। ହାତୀ ମରିଥିବା ଖବର ପାଇ ଘଟଣାସ୍ଥଳକୁ ଆସିଥିଲେ। ସେମାନଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରା ଯାଇଛି। ବନ ବିଭାଗ ପକ୍ଷରୁ ଗିରଫ କରାଯାଇଥିବା ବ୍ୟକ୍ତି ନିର୍ଦ୍ଦୋଷ, ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଉ ବୋଲି ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା ଦାବି କରିଛନ୍ତି। ହାତୀ ମୃତ୍ୟୁ ପରେ ଅତି ସତର୍କତାର ସହିତ ବ୍ୟବହୃତ ବିଦ୍ୟୁତ୍ ତାର ଓ ଖୁଣ୍ଟିକୁ ଖୋଲି ନିଆଯାଇଛି। ମୃତ ହାତୀ ଶରୀରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଆଘାତ ଜନିତ କ୍ଷତ ରହିଛି ବୋଲି ଡିଏଫଓ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।

ଆଜିସୁଦ୍ଧା ତେଲକୋଇ ରେଞ୍ଜରେ ୧୩ଟି ହାତୀଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ୬ଟି ହାତୀଙ୍କ ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ହୋଇଛି। ୨୦୧୧ ରେ ଦୁଲ୍ଲଭପୁର ଗ୍ରାମରେ ୩ଟି, ଗୋଟିଏ ଦନ୍ତା ଓ ୨ଟି ମାଈ, ବୁଢାଆମ୍ବରେ ୨ ମାଈ ଓ ଆଜି ସଲେଇକେନା ଭାଡିମରା ଜୁଆଙ୍ଗ ସାହି ନିକଟରେ ଗୋଟିଏ ଦାନ୍ତ ହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ସେହିପରି ଟାଙ୍ଗିରି ପାହାଡ଼ରେ ଗୋଟିଏ ଛୁଆ ହାତୀ, ୨୦୧୭ ରେ କରଦାଙ୍ଗିରୁ ଏକ ଦନ୍ତାର ଗଳିତ ଶବ ଉଦ୍ଧାର, ୨୦୧୮ରେ ଅସୁସ୍ଥ ଦନ୍ତାର ମୃତ୍ୟୁ, ୨୦୨୨ ଜୁନ୍ ୨୬ରେ କଳାପାଟ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଟୁଲୁକପଦାରେ ଅସୁସ୍ଥ ମାଈର ମୃତ୍ୟୁ, ନଭେମ୍ବର ୭ରେ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ତୀର ମାଡରେ ମାଈ ଓ ଛୁଆ ହାତୀ ମୃତ, ୨୦୨୩ ଫେବ୍ରୁଆରି ୨ ତାରିଖ କଳାପାଟ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଓଢ଼ଣା ଦନ୍ତାର ମୃତ୍ୟୁ ଓ ଶୁକ୍ରବାର ସଲେଇକେନା ଭାଡିମରା ଜୁଆଙ୍ଗ ସାହି ନିକଟ ଥାନିନାଳୀ ଜମିରେ ବିଦ୍ୟୁତ୍ ଆଘାତରେ ଗୋଟିଏ ଦନ୍ତାର ମୃତ୍ୟୁ ଘଟିଛି। ଏବେ ତେଲକୋଇ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ଦେଇ ଫାଶ ଓ ବମ ଦେଇ ବନ୍ୟଜନ୍ତୁ ଶିକାର କରାଯାଉଥିବା ଶିକାରୀ ସକ୍ରୀୟ ହୋଇ ଉଠିଛନ୍ତି।ବନ ବିଭାଗ ପକ୍ଷରୁ ସଂପୃକ୍ତ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି।