ନିଆଁ ଲାଗି ୧୩ଘର ଭସ୍ମୀଭୂତ, ୫୦ଲକ୍ଷରୁ ଊର୍ଧ୍ୱ ଟଙ୍କାର କ୍ଷତି

ରାମନାଗୁଡା : ରାମନାଗୁଡା ବ୍ଲକ ଶୁଣ୍ଢିଢାମୁଣୀ ପଞ୍ଚାୟତ ଅନ୍ତର୍ଗତ କାଣିପୁଲିସି ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ହଠାତ୍‌ ନିଆଁ ଲାଗିବାରୁ ୧୩ଟି ଘର ଜଳିଯାଇଛି। ୧୧ଟି ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ଅନ୍ୟ ଦୁଇଟି ଘର ଆଂଶିକ ପୋଡିଥିବା ଜଣାପଡିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାୟ ୫୦ଲକ୍ଷରୁ ଊର୍ଧ୍ୱ ଟଙ୍କା କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡିଛି। ଗ୍ରାମରେ କେହିନଥିବା ବେଳେ ହଠାତ୍‌ ନିଆଁ ଲାଗି ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

ସୂଚନା ଅନୁସାରେ କାଣିପୁଲିସି ଗ୍ରାମର ସମସ୍ତେ ଦିନ ମଜୂରିଆ ଏବଂ ଚାଷୀ ହୋଇଥିବା ସକାଳେ ସମସ୍ତେ ଘରେ ତାଲା ପକାଇ ନିଜ କର୍ମକ୍ଷେତ୍ରକୁ ଚାଲିଯାଇଥିଲେ। ତେବେ ଦିନ ପ୍ରାୟ ୧୨ଟା ସମୟରେ ଗ୍ରାମରେ ହଠାତ୍‌ ନିଆଁ ଲାଗି ହୁତ୍‌ହୁତ୍‌ ଜଳୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ପ୍ରଥମେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଗୁମୁଡା ଓ ବିଷମକଟକ ଦମକଳ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। କିନ୍ତୁ ସେତେବଳକୁ ନିଆଁ ଲାଗି ଘରେ ଥିବା ଆସବାପତ୍ର, ଖାଦ୍ୟଶସ୍ୟ, କାଗଜପତ୍ର, ଟଙ୍କା, ସୁନା, ଲୁଗାପଟା ସଂପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଗ୍ରାମର ଧାନଫୁଲ ମାଣ୍ଡାଙ୍ଗି, ମୋହନ ମାଣ୍ଡାଙ୍ଗି, ମନୋଜ ମାଣ୍ଡାଙ୍ଗି, ବୃନ୍ଦାବନ ମାଣ୍ଡାଙ୍ଗି, ସେନାପତି ମାଣ୍ଡାଙ୍ଗି, ଗଙ୍ଗାଧର ମାଣ୍ଡାଙ୍ଗି, ପବିତ୍ର ହୁଇକା, ରାଜୁ ମାଣ୍ଡାଙ୍ଗି, ବୁଦ୍ଧିଆ ମାଣ୍ଡାଙ୍ଗି, ଆରଦ୍ରା ମାଣ୍ଡାଙ୍ଗି, ଜଳନ୍ଧର ମାଣ୍ଡାଙ୍ଗିଙ୍କ ଘର ସଂପୂର୍ଣ୍ଣ ପୋଡି ସର୍ବସ୍ୱାନ୍ତ ହୋଇଥିବା ବେଳେ ସାଙ୍ଗାନ୍ନା ମାଣ୍ଡାଙ୍ଗି ଓ ଜାଇନା ମାଣ୍ଡାଙ୍ଗିଙ୍କ ଘର ଆଂଶିକ ପୋଡିଥିବା ଜଣାପଡିଛି। ଖବରପାଇ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ବିଡିଓ ଗୁଲାମ ମକ୍‌ସଦ୍‌, ଶୁଣ୍ଢିଢାମୁଣୀ ସରପଞ୍ଚ ସୁଜାତା ମାଣ୍ଡାଙ୍ଗି, ତହସିଲଦାର ରାଖାଲ ଚନ୍ଦ୍ର ପରିଡା, ଏଆରଆଇ ପୁଷ୍ପାଞ୍ଜଳି ସୀତାପଲି ପ୍ରମୁଖ ସେଠାରେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ବିପନ୍ନ ପରିବାରଙ୍କୁ ସହାୟତା ସ୍ୱରୂପ ପଞ୍ଚାୟତ ପକ୍ଷରୁ ଚାଉଳ, କିରୋସିନି ଏବଂ ରାଜସ୍ୱ ବିଭାଗ ପକ୍ଷରୁ ପଲିଥିନ ବଣ୍ଟନ କରାଯାଇଥିଲା। ପ୍ରାଥମିକ ଆକଳନରୁ କ୍ଷୟକ୍ଷତିର ପରିମାଣ ପ୍ରାୟ ୫୦ଲକ୍ଷରୁ ଊର୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ନିଆଁ ପ୍ରଥମେ ମୋହନ ମାଣ୍ଡାଙ୍ଗିଙ୍କ ଘରୁ ବାହାରିଥିବା ବେଳେ ଏହାର କାରଣ ଜଣାପଡିନାହିଁ।

ସମ୍ବନ୍ଧିତ ଖବର