ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ଭୋଗୁଅବାଙ୍କ ଛକରେ ଆଜି ଅପରାହ୍ନରେ ଏକ ବସ୍ ରାସ୍ତା ମଝିରେ ଓଲଟି ପଡ଼ିବାରୁ ଜଣେ ଶିଶୁ ସମେତ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବସ୍ରେ ୧୩ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ଯାତ୍ରୀ ଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପିପିଲି ସରକାରୀ ହସ୍ପିଟାଲକୁ ପଠାଇଥିଲେ। ପରେ ଜଣେ ଶିଶୁ ସମେତ ୮ଜଣ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ ନୟାଗଡ଼ ସଦର ଥାନା କିରିଆଲାଙ୍ଗି ଗାଁର କେତେକ ପରିବାର ‘ଶ୍ରୀରାମ’ (ଓଆର୍୦୨ଟି-୩୮୫୫) ନାମକ ବସ୍ରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ସାରି ସେମାନେ ପୁରୀରୁ ନନ୍ଦନକାନନ ଆସୁଥିଲେ। ଅପରାହ୍ନ ପ୍ରାୟ ୩ଟାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବସ୍ଟି ଭୋଗୁଆବାଙ୍କ କ୍ରସିଂରେ ରୋଡ୍ ଡିଭାଇଡ଼ରରେ ପିଟିହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ବସ୍ରେ ଥିବା ଯାତ୍ର୍ରୀମାନଙ୍କ ମଧ୍ୟରୁ ୧୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ କିରିଆଲାଙ୍ଗି ଗାଁର ଅଚ୍ୟୁତ ସ୍ୱାଇଁ(୭) ସମେତ ସୁମା ପ୍ରଧାନ(୪୦), ଲିଲି ସାହୁ(୩୫), ପଦ୍ମା ଦଳେଇ(୬୦), ଶକୁନ୍ତଳା ଜେନା(୨୫), ସୁବର୍ଣ୍ଣ ସାହୁ(୬୦), ଗେଲି ପ୍ରଧାନ(୬୦), ଶଶି ଦେଇ(୬୦) ଓ ବିଳାସ ଦେଇ(୫୪)ଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଂଚି କ୍ରେନ ସାହାଯ୍ୟରେ ରାସ୍ତା ମଝିରୁ ଦୁର୍ଘଟଣାଗ୍ରସ୍ଥ ବସ୍ଟିକୁ ହଟାଇଥିଲା । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିବା ସହ ବସ୍ଟିକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/PIPILI-BUS-ACCIDENT.jpg)