ରେଳ ସାଇଡିଂରେ କାମ ମାଗିଲେ ବୋଲି… ପୁଲିସ ଲାଠିମାଡ଼‌ରେ ୧୩ ଆହତ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋହାଲଡିହି ରେଳ ସାଇଡିଂରେ କର୍ମସଂସ୍ଥାନ ଦାବିରେ ରାସ୍ତାରୋକ କରିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ପୁଲିସ ଆଜି ଗୋଡ଼ାଇଗୋଡ଼ାଇ ପିଟିଛି। ପୁଲିସର ଲାଠି ଚାଳନାରେ ୧୩ ଜଣ ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପ୍ରାୟ ୧୨ ବର୍ଷ ପୂର୍ବେ ଗୋହାଲଡିହି ରେଲୱେ ସାଇଡିଂ ନିର୍ମାଣ ହୋଇଥିଲା। ଏଥିରେ ନୂଆଗାଁ ଗ୍ରାମବାସୀ ଭିଟାମାଟି ଓ ଚାଷଜମି ହରାଇଥିଲେ। ମାତ୍ର କ୍ଷତିଗ୍ରସ୍ତ ଲୋକଙ୍କୁ କାମ ଦିଆଗଲାନାହିଁ। ପ୍ରଭାବଶାଳୀ ଲୋକମାନେ ସମସ୍ତ କାମ ହାତେଇ ନେଇଥିଲେ। ଏବେ ବି ସେମାନେ କାମ କରୁଛନ୍ତି। ଏହାର ପ୍ରତିବାଦରେ ଗୋହାଲଡିହି ରେଳସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ ଗତ ଜାନୁଆରି ୨୩ ତାରିଖରୁ ଗୋହାଲଡିହି ରେଳ ସାଇଡିଂ ରାସ୍ତାକୁ ଅବରୋଧ କରାଯାଇଥିଲା। ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ତମ୍ବୁ ଲଗାଇ ଦିନରାତି ବସି ରହିଥିଲେ। ଫଳରେ ସାଇଡିଂକୁ କୌଣସି ମାଲ୍‌ବାହୀ ଗାଡ଼ି ଚଳାଚଳ କରିପାରୁନଥିଲା। ଲକ୍‌ଡାଉନ୍‌ ହେବା ପରେ ମାର୍ଚ୍ଚ ୨୫ରେ ପ୍ରଶାସନର ପରାମର୍ଶକ୍ରମେ ଆନ୍ଦୋଳନ ସ୍ଥଗିତ ରହିଥିଲା। ଗାଡ଼ି ଚଳାଚଳ କରିବ ନାହିଁ ଏବଂ ସେମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

ମାତ୍ର ଆଜି ହଠାତ ସାଇଡିଂକୁ ମାଲ୍‌ ପରିବହନ ଆରମ୍ଭ ହୋଇଥିଲା। ଏହା ଶୁଣି କ୍ଷତିଗ୍ରସ୍ତ ଲୋକମାନେ ପହଞ୍ଚି ସାଇଡିଂକୁ ଆସୁଥିବା ଲୁହାପଥର ଟ୍ରକଗୁଡ଼ିକୁ ଅଟକାଇଥିଲେ। ପଥର ପକାଇ ରାସ୍ତା ଅବରୋଧ କରିଥିଲେ। ଏ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ହଟିବା ପାଇଁ ଲୋକଙ୍କୁ କହିଥିଲା। ମାତ୍ର ସେମାନେ ଶୁଣି ନଥିଲେ। ଶେଷରେ ଆନ୍ଦୋଳନକାରୀଙ୍କୁ ପୁଲିସ ଗୋଡ଼ାଇଗୋଡ଼ାଇ ପିଟିଥିଲା। ଏଥିରେ ସନାତନ ମୁଣ୍ଡା, ଶ୍ୟାମ ମୁଣ୍ଡା, ଶୁକ ମୁଣ୍ଡା, ରାମଚନ୍ଦ୍ର ମୁଣ୍ଡା, ମଧୁ ମୁଣ୍ଡା, ଚରଣ ମୁଣ୍ଡା, ରଇଦାସ ମୁଣ୍ଡା, ନରସିଂ ମୁଣ୍ଡା, ଗୋବିନ୍ଦ ମୁଣ୍ଡା, ହେମନ୍ତ ମାଝୀ, ନେମନ୍ତି ମାଝୀ, ମୌନାବତୀ ମାଝୀ ଓ ଫୁଲମଣି ମାଝୀ ପ୍ରଭୃତି ୧୩ ଜଣ ଆହତ ହୋଇଛନ୍ତି। ସମସ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ମହିଳାମାନଙ୍କୁ ପୁରୁଷ ପୁଲିସ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଏ ବିଷୟରେ ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କୁ ପଚାରିବାରୁ ଆନ୍ଦୋଳନକାରୀଙ୍କୁ ପୁଲିସ ମାଡ଼ ମାରିବା କଥା ଭିତ୍ତିହୀନ ବୋଲି କହିଛନ୍ତି। ନୂଆଗାଁବାସୀ ଆଜି ଗୋହାଲଡିହି ରେଳ ସାଇଡିଂ ରାସ୍ତାକୁ ପଥର ପକାଇ ଅବରୋଧ କରିଥିଲେ। ସେମାନେ ମାସ୍କ ପିନ୍ଧିନଥିଲେ। ସାମାଜିକ ଦୂରତା ମଧ୍ୟ ରକ୍ଷା କରୁନଥିଲେ। ତେଣୁ ପୁଲିସ ସେମାନଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲା। ସେଠାରୁ ଯିବାବେଳେ ସେମାନେ ନିଜନିଜ ମଧ୍ୟରେ ଝଗଡ଼ା ହୋଇ ଆହତ ହୋଇଛନ୍ତି ବୋଲି ଶ୍ରୀ ଖଣ୍ଡେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର