ଭଞ୍ଜନଗର: ସରକାରୀ ଚାକିରି କରାଇଦେବା ନାଁରେ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭଞ୍ଜନଗର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଅବିନାଶ ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀ ଶୁଭମ୍ ପ୍ରଧାନ। ଅବିନାଶଙ୍କ ଘର ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡ଼ାରେ। ସେ ଭଞ୍ଜନଗର ଲଣ୍ଡେଇସାହିରେ ରହି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଜେଏମ୍ଏଫ୍ସି କିରାଣି ଭାବେ କାର୍ଯ୍ୟ କରୁଥିଲେ। ନମ୍ବର ୬୨୬ରେ ମାମଲା ରୁଜୁ ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧିରେଶ ଦାସ କହିଛନ୍ତି। ସେମାନଙ୍କଠୁ ଏଟିଏମ୍ କାର୍ଡ, ୨ଟି ମୋବାଇଲ୍, ଗୋଟିଏ ଟ୍ୟାବ୍, ୧୫ ହଜାର ଟଙ୍କା ଏବଂ ଅବିନାଶଙ୍କ ଚାକିରି ପରିଚୟପତ୍ର ଜବତ ହୋଇଛି। ଉଭୟଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟ ସିଜ୍ ହୋଇଛି।
ଫୁଲବାଣୀ ରୋଡ୍ରେ ରହୁଥିବା କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ ଗତବର୍ଷ କମ୍ବାଇନ୍ଡ୍ ଗ୍ରାଜୁଏସନ୍ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ପାସ୍ କରାଇଦେବା ସହ ସରକାରୀ ଚାକିରି କରାଇବାର ପ୍ରଲୋଭନ ଦେଖାଇ ଅବିନାଶ ତାଙ୍କୁ ୧୫ଲକ୍ଷ ଟଙ୍କା ମାଗିଥିଲେ। କୃଷ୍ଣ ନଗଦ ଓ ଫୋନ୍-ପେ’ ମାଧ୍ୟମରେ ଅବିନାଶଙ୍କୁ ବିଭିନ୍ନ କିସ୍ତିରେ ମୋଟ ୧୩ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ପରୀକ୍ଷାଫଳ ପ୍ରକାଶ ପାଇବା ପରେ କୃଷ୍ଣଙ୍କ ପୁଅର ନାମ ଯୋଗ୍ୟ ତାଲିକାରେ ନଥିଲା। ଠକେଇର ଶିକାର ହୋଇଥିବା ଜାଣି ପାରି କୃଷ୍ଣ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଅବିନାଶ ଓଲଟା ତାଙ୍କୁ ହତ୍ୟା ଧମକ ଦେଇ ରାଜ୍ୟ ବାହାରକୁ ଫେରାର୍ ହୋଇଯାଇଥିଲେ। ତେଣୁ କୃଷ୍ଣ ଭଞ୍ଜନଗର ପୁଲିସର ଦ୍ବାରସ୍ଥ ହୋଇଥିଲେ।
ପୁଲିସ ଉଭୟଙ୍କୁ ଖୋଜୁଥିଲା। ଗୋଆରେ ମଧ୍ୟ ଖାନତଲାସ କରିଥିଲା। ଗତକାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏ କେଳେଙ୍କାରୀରେ ଅନ୍ୟମାନେ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଅବିନାଶ ଏଭଳି ଅନେକ ଚାକିରି ଆଶାୟୀ ଯୁବକଯୁବତୀଙ୍କଠୁ ଟଙ୍କା ଠକି ନେଇଥିବା ଅନୁମାନ କରାଯାଉଛି। ଉଭୟ ଅଭିଯୁକ୍ତ କେବେଠୁ ଏଭଳି ଠକେଇରେ ଲିପ୍ତ ରହିଛନ୍ତି, ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।