ଜଗତସିଂହପୁର/ପାରାଦୀପ : ୫ ଦିନ ପରେ ଦୁଇଟି ମାଛଧରା ଟ୍ରଲର୍ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ପତ୍ତା ମିଳିଥିବା ଜଣାଯାଇଛି। ସେମାନେ ପାରାଦୀପଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ନେଇ ଖବର ମିଳିଛି। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦୁଇଟି ମାଛଧରା ଟ୍ରଲର୍ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ଗତ ୫ ଦିନ ହେଲା କୌଣସି ପତ୍ତା ମିଳୁନଥିଲା । ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଏକ ଚିଠି ଲେଥିଲେ।
ଚିଠି ମୁତାବକ, ପାରାଦୀପଠାରୁ ୮୮ ନଟିକାଲ୍ ମାଇଲ୍ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍ (ଆଇଏନ୍ଡି ଓଆର୍–୦୪ ଏମ୍ଏମ୍ ୨୬ ଓ ଆଇ୍ଏନ୍ଡି ଓଆର୍–୦୪ ଏମ୍ଏମ୍ ୩୧୪)ର ପତ୍ତା ମିଳୁନି। ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍ରେ ଚାଳକଙ୍କୁ ମିଶାଇ ୭ ଜଣ ମତ୍ସ୍ୟଜୀବୀ ଥିଲେ। ଅନ୍ୟଜଣେ ଟ୍ରଲର୍ ମାଲିକ ସସ୍ମିତା ବରାଳଙ୍କ ଅଭିଯୋଗ ମୁତାବକ, ତାଙ୍କର ଟ୍ରଲର୍ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ। ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା। ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା। ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ।
ଆଜି ମତ୍ସ୍ୟ ବିଭାଗ ଏନେଇ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ହଠାତ୍ ଏହି ଦୁଇଟି ମାଛ ଧରା ଟ୍ରଲର ସମୁଦ୍ର ମଧ୍ୟରୁ କେଉଁଠି ଗାଏବ ହୋଇଗଲେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ବର୍ତ୍ତମାନଠାରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/p.jpg)