ଆଉ ୧୩ଟି ପୋଷ୍ଟ ଅଫିସ୍‌ରେ ପାସ୍‌ପୋର୍ଟ କେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ସ୍ତରରେ ଗୋଟିଏ ମୁଖ୍ୟ ପୋଷ୍ଟ ଅଫିସ୍‌ରେ ପାସ୍‌ପୋର୍ଟ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୭ଟି ପୋଷ୍ଟ ଅଫିସ୍‌ରେ ପାସ୍‌ପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଅତି ଶୀଘ୍ର ରାଜ୍ୟରେ ଆଉ ୧୩ଟି ପୋଷ୍ଟ ଅଫିସ୍‌ ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲିବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପରବର୍ତ୍ତୀ ସମୟରେ ଖୋଲିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା।

‘ବିଶ୍ବ ଡାକ ଦିବସ’ ଅବ୍ୟବହିତ ପୂର୍ବରୁ ତଥା ‘ଜାତୀୟ ଡାକ ସପ୍ତାହ’ ଉପଲକ୍ଷେ ଆଜି ସିପିଏମ୍‌ଜି କାର୍ଯ୍ୟାଳୟରେ ଆ‌ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାମିଲା କହିଲେ, ସାରା ଦେଶରେ ୯ ଅକ୍ଟୋବର ଅର୍ଥାତ୍‌ ଆସନ୍ତା କାଲିଠାରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ଡାକ ସପ୍ତାହ ପାଳନ କରାଯିବ। ଆସନ୍ତାକାଲି ବିଶ୍ବ ଡାକ ଦିବସ ଅବସରରେ ଭୁବନେଶ୍ବର ମଞ୍ଚେଶ୍ବରଠାରେ ଏକ ପାର୍ସଲ ହବ୍‌ ଉଦ୍‌ଘାଟିତ ହେବ। ଏହା ବାଦ୍ ସପ୍ତା‌ହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଡାକ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯିବ। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାମିଲାଙ୍କ ସହ ଡାକ ସେବା ନିର୍ଦ୍ଦେଶକ ଜି ଗୁରୁନାଥନ୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର