ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଲମ୍ବିଛି ସେକ୍ସ ରାକେଟ୍ର ଚେର; ୨ ଦେହବ୍ୟବସାୟୀଙ୍କ ସହ ୧୩ ଅଭିଯୁକ୍ତ ଗିରଫ
୬ ଯୁବତୀ ଉଦ୍ଧାର, ୨ ବାଂଲାଦେଶୀ ଯୁବତୀ ଅଟକ
ବାଲେଶ୍ବର: ଏକ ବଡ଼ଧରଣର ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି ବାଲେଶ୍ବର ଜିଲ୍ଲା ପୁଲିସ। ଏହି ରାକେଟ୍ ପଶ୍ଚିମବଙ୍ଗ ସହ ଭୁବନେଶ୍ବର, ଖୋର୍ଦ୍ଧା ବାଲେଶ୍ବରରେ କାୟା ମେଲାଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦେହବ୍ୟବସାୟୀ ଏବଂ କାରବାରରେ ସଂପୃ୍କ୍ତ ୧୩ ଜଣ ପୁରୁଷ ଓ ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ଆଜି ଅପରାହ୍ଣରେ ବାଲେଶ୍ବର ଏସ୍ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସେକ୍ସ ରାକେଟ୍ ସମ୍ପର୍କରେ ସୂଚନା ଦେଇଥିଲେ। ନିକଟରେ ବସ୍ତା ଥାନା ଅମର୍ଦ୍ଦାରୋଡ୍ର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍କୁ ଠାବ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ରାକେଟ୍ର ମାଷ୍ଟରମାଇଣ୍ଡ ସାଜିଥିବା ୨ ଜଣ ଯୁବକ ଏବଂ ତାଙ୍କ ସହ ରହୁଥିବା ଜଣେ ବାଂଲାଦେଶୀ ଯୁବତୀ ଧରାପଡ଼ିଥିଲେ। ପୁଲିସ ସେମାନଙ୍କ କାଗଜପତ୍ର ଯାଞ୍ଚ କରିବା ସହ ପଚରାଉଚୁରା କରିଥିଲା। ବାଂଲାଦେଶୀ ଯୁବତୀ ଜଣକ ନିଜର ପରିଚୟ ପଶ୍ଚିମବଙ୍ଗର ଚବିଶପ୍ରଗଣା ଜିଲ୍ଲାରେ ବୋଲି ଦେଇଥିବା ବେଳେ ପୁଲିସର ଏକ ଟିମ୍ ପଶ୍ଚିମବଙ୍ଗ ପୁଲିସ ସହାୟତାରେ ସେଠାକୁ ଯାଇ ବାଂଲାଦେଶୀ ଯୁବତୀମାନଙ୍କର ନକଲି ପରିଚୟପତ୍ର ତିଆରି କରି ଦେହବ୍ୟବସାୟ ପାଇଁ ଓଡ଼ିଶା ସହ ବିଭିନ୍ନ ଅଞ୍ଚଳକୁ ପଠାଉଥିବା ବ୍ୟକ୍ତିକୁ ଠାବ କରିଥିଲା। ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ଏହି ରାକେଟ୍ର ଚେର ଓଡ଼ିଶାରେ କେଉଁ କେଉଁ ସ୍ଥାନକୁ ଲମ୍ବିଛି, ତା’ର ଖୋଳତାଡ଼ ଆରମ୍ଭ କରିଥିଲା। ଉଦ୍ଧାର ହୋଇଥିବା ଯୁବତୀ ଏବଂ ବାଂଲାଦେଶୀ ଯୁବତୀଙ୍କୁ ଜେରା ବେଳେ ସେମାନେ ସିଂଲା ଥାନା ଅଞ୍ଚଳର ଜଣେ ମହିଳାଙ୍କ ନେତୃତ୍ବରେ ଏବଂ ବାଲେଶ୍ବର ସହର ସଦର ଥାନା ଅଧୀନ ମେଘଡ଼ମ୍ବରୁ ଅଞ୍ଚଳର ଜଣେ ମହିଳାଙ୍କ ନେତୃତ୍ବରେ ଦେହବେପାର ଚାଲୁଥିବା ସୂଚନା ଦେଇଥିଲେ।
ଏହି ରାକେଟ୍ ବାଂଲାଦେଶୀ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ସେମାନଙ୍କର ନକଲି ଆଧାରକାର୍ଡ ଓ ପରିଚୟପତ୍ର ତିଆରି କରି ଏଠାକୁ ଆଣୁଥିଲେ। ଏଥିସହ ଜିଲ୍ଲା ଏବଂ ଜିଲ୍ଲା ବାହାରର ଅନେକ ଯୁବତୀଙ୍କୁ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇ ଏବଂ ପ୍ରଲୋଭନ ଦେଖାଇ ଫସାଉଥିଲେ। ପରେ ସେମାନଙ୍କୁ ଆଣି ଦେହବ୍ୟବସାୟରେ ନିୟୋଜିତ କରାଇବା ସହ ଜିଲ୍ଲା ତଥା ଜିଲ୍ଲା ବାହାରର ଗ୍ରାହକଙ୍କ ପାଖକୁ ପଠାଉଥିଲେ। ଏଇଥିରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିଲା। ସେହି ଅର୍ଥରେ ରାକେଟ୍ ଚଳାଉଥିବା ବ୍ୟକ୍ତିମାନେ ଅୟସ କରୁଥିଲେ। ସବୁ କଥା ଜାଣିବା ପରେ ପୁଲିସ ସିଂଲା ସହ ବାଲେଶ୍ବର ସହରର ମେଘଡମ୍ବରୁରୁ ଓ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ସିଂଲା ଥାନା ଅଞ୍ଚଳରୁ ୨ ଜଣ ଏବଂ ବାଲେଶ୍ବର ସଦର ଥାନା ଅଞ୍ଚଳ ମେଘଡମ୍ବରରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଆଉଜଣେ ବାଂଲାଦେଶୀ ଯୁବତୀଙ୍କୁ ଅଟକ ରଖାଯାଇଥିଲା।