ହାଇ-ପ୍ରୋଫାଇଲ ଜୁଆ ଆଡା: ଧରାପଡ଼ିଲେ ୧୩, ନଗଦ ୧୬ ଲକ୍ଷ ଟଙ୍କା ଜବତ

ରାଉରକେଲା: ସ୍ଥାନୀୟ ପାନପୋଷ ରୋଡ୍‌ରେ ଥିବା ଏକ ହୋଟେଲ ପାଲଟିଥିଲା ହାଇପ୍ରୋଫାଇଲ୍‌ ଜୁଆ ଆଡା। ପ୍ରତିଦିନ ଭଳି ଆଜି ସନ୍ଧ୍ୟାରେ ମଧ୍ୟ ଜମିଥିଲା ଜୁଆଖେଳ। ଏତିକିବେଳେ ରଘୁନାଥପଲ୍ଲୀ ପୁଲିସ ଅତର୍କିତ ଚଢ଼ଉକରି ୧୩ ଜଣ ଜୁଆଡ଼ିଙ୍କୁ କାବୁ କରିନେଇଛି। ଏହାସହ ପ୍ରାୟ ୧୬ ଲକ୍ଷ ଟଙ୍କା ଜବତ କରିଛି।
ପାନପୋଷ ରୋଡ୍‌ ସିଭିଲଟାଉନସିପ୍‌ ଶନି ମନ୍ଦିର ପାଖରେ ରହିଛି ହୋଟେଲ ରାଉରକେଲା ପ୍ୟାଲେସ୍‌। ଏଠାରେ ପ୍ରତିଦିନ ଜୁଆଡ଼ିଙ୍କ ଭିଡ଼ ଜମିଥାଏ। ଏଥିରେ ରାଉରକେଲା ସମେତ ବୀରମିତ୍ରପୁର, ରାଜଗାଙ୍ଗପୁର ଅଞ୍ଚଳର ଜୁଆଡ଼ି ସାମିଲ ହୋଇଥାନ୍ତି। ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଏ ଜୁଆଖେଳ। ଏହି କ୍ରମରେ ଆଜି ଉକ୍ତ ହୋଟେଲର ରୁମ୍ ନଂ ୧୦୫ରେ ଜୁଆ ଖେଳ ଚାଲିଥିଲା। ଏନେଇ ଗୁପ୍ତ ସୂଚନା ପାଇଥିଲା ପୁଲିସ। ଡିଏସପି ସାନ୍ତା ନୂତନ ସାମଦଙ୍କ ନେତୃତ୍ୱରେ ଏକ ଦଳ ସନ୍ଧ୍ୟା ପ୍ରାୟ ୬ଟାରେ ହୋଟେଲରେ ଅତର୍କିତ ଚଢ଼ଉ କରିଥିଲା। ଜୁଆଖେଳରେ ମସ୍‌ଗୁଲ ଥିବା ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଉଛନ୍ତି ସ୍ଥାନୀୟ ଶାଲିମାର କଂପ୍ଲେକ୍ସର ଆବିଦ ହୁସେନ(୩୮), ଖରିଆବାହାଲ ବସ୍ତିର ମହମ୍ମଦ ଅସ୍ରଫ୍‌(୪୮), ଲାଇଙ୍ଗ (କାଂଶବାହାଲ)ର ପ୍ରଦୀପ ସ(୪୨), ପର୍ଶୁରାମ ସାହୁ(୫୪), ରାଜଗାଙ୍ଗପୁର ଗୁଢ଼ିଆଳିର ଲକ୍ଷ୍ମଣ ମାଝୀ(୫୦), ଗୋପବନ୍ଧୁ କଲୋନିର ମହମ୍ମଦ ନଦୀମ(୩୭), ରାଜଗାଙ୍ଗପୁର ଖାଡ଼ାଗଳିର ମହେଶ ଅଗ୍ରୱାଲ(୩୫), ରାଜଗାଙ୍ଗପୁର ଡେଲିମାର୍କେଟ୍‌ର ନନ୍ଦନ ରାମ(୪୦), ବୀରମିତ୍ରପୁର ସଣ୍ଡେ ମାର୍କେଟ୍‌ ଅଞ୍ଚଳର ଗୌରୀ ଶଙ୍କର ପାଣ୍ଡେ(୩୫), ସନ୍ତୋଷ ସାହୁ(୩୪), ବୀରମିତ୍ରପୁର କପଳାସର ପିଟର ଖେସ(୫୨), ଦେଓଗାଁ ଧବଳେଶ୍ବର ମାର୍କେଟ ଅଞ୍ଚଳର ଶଙ୍କରଲାଲ ସାହୁ(୫୩)ଙ୍କ ସମେତ ହୋଟେଲ କର୍ମଚାରୀ ଛେଣ୍ଡ୍‌ କଲୋନିର ସୁକାନ୍ତ ଚନ୍ଦ୍ର ଦାସ(୫୨)ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ପାଖରୁ ନଗଦ ୧୬ ଲକ୍ଷ ୨ ହଜାର ୧୩୦ ଟଙ୍କା, ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ, ୧୧ଟି ମୋବାଇଲ, କାର୍‌, ବାଇକ୍‌ ଜବତ ହୋଇଛି।

ସମ୍ବନ୍ଧିତ ଖବର