୧୩ଟି ଦଳର ପ୍ରତିବାଦ ପ୍ରସଙ୍ଗକୁ ସମାଲୋଚନା କଲେ ବିଜେଡି ଓ ବିଜେପି
ଭୁବନେଶ୍ବର : କୋଭିଡ ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଆସନ୍ତାକାଲି ୧୩ଟି ରାଜନୈତିକ ଦଳ ଭୁବେନଶ୍ବରରେ ପ୍ରତିବାଦ କରିବେ। ଏହାସହିତ ରାଜ୍ୟପାଳଙ୍କୁ ଦେବେ ସ୍ମାରକ ପତ୍ର। ବିରୋଧୀ ଦଳମାନଙ୍କ ଏପରି ବିକ୍ଷୋଭକୁ ସମାଲଚନା କରିଛନ୍ତି ଉଭୟ ବିଜେପି ଓ ବିଜେଡି। ଏକାଠି ହୋଇଥିବା ଦଳଗୁଡ଼ିକ ରାଜନୈତିକ କ୍ଷେତ୍ରରେ ଅପ୍ରାସଙ୍ଗିକ ହୋଇଥିବା ନେଇ ବିଜେପି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କ ସଫଳତାକୁ ଏହିସବୁ ଦଳମାନେ ସହି ପାରୁନଥିବା ନେଇ ବିଜେଡି କହିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କରୋନା ମହାମାରୀ ମୁକାବିଲା କରିବାରେ ଓଡ଼ିଶା ସରକାର ଦିନରାତି ଏକ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତ୍ବରିତ୍ ପଦକ୍ଷେପ ଯୋଗୁଁ ଦେଶ ଓ ବିଶ୍ବରେ ରାଜ୍ୟ ପ୍ରଶଂସିତ ହେଉଛି। ଏହାକୁ ବିରୋଧୀ କଂଗ୍ରେସ ଦଳ ସହି ପାରୁନି। ଦୀର୍ଘ ବର୍ଷ ଧରି ଲୋକମାନଙ୍କ ପାଖରେ ଦୂରେଇ ଯାଇଥିବା ଦଳ ଏବେ ଲୋକଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରୁଛି। ଏଥିରେ ସେମାନେ କେବେବି ସଫଳ ହେବେନାହିଁ। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ଏକାଠି ହୋଇ କାମ କରିବାରେ କିଛି ଅସୁବିଧା ନାହିଁ। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ଦଳଗୁଡ଼ିକ ଏକାଠି ହେବାକୁ ଯାଉଛନ୍ତି, ସେମାନେ ରାଜନୀତି କ୍ଷେତ୍ରରେ ଅପ୍ରାସଙ୍ଗିକ ହୋଇ ଯାଇଛନ୍ତି। ଲୋକେ ସେମାନଙ୍କ ଉପରୁ ଆସ୍ଥା ହରାଇଛନ୍ତି। ଦେଶ ମହାମାରୀ ସ୍ଥିତିରୁ ବାହାରୁଥିବାବେଳେ ବିରୋଧୀଙ୍କ ଏପରି ଉଦ୍ୟମ ଦୁର୍ଭାଗ୍ୟଜନକ। ଭାରତରେ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ବିରୋଧୀ ଦଳମାନେ ନିଜ ମାନସିକତାରେ ପରିବର୍ତ୍ତନ କରିବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।